Unknown

 

 

 

 

 

 

 

 

 

ଚାତୁର୍ଯ୍ୟ ବିଳାସ

ଗୋକୁଳାନନ୍ଦ ପଟ୍ଟନାୟକ

 

ଗୀତ - ୧

ତୁ ରମଣୀ ଶିରୋମଣି ନୃପମଣିଙ୍କ ଅଗ୍ରଣୀ

ବୃଷଭାନୁ ସୁତାଙ୍କୁ କେ ଭଣି । (ଘୋଷା)

ଦନ୍ତୀ ପରେ ବିଜେ ଭୂପଗତି ତ ସେହି ସ୍ୱରୂପ

ବାଜେ କାହାଳୀ ତାଙ୍କ ସମୀପ ! ।୧।

ଗାନ ବଚନ ମଧୁର ,  ଚାମରଚାରୁ ଚିକୁର

ଫୁଲଗୁଣା ଆତପତ୍ର ସାର ।

ନଥ ଆଲଟ ସମାନ ଦଣ୍ଡି ତ୍ରାସ ପରି ମାନ

ବାସ୍ତବରେ ଝରାକାଠି ବଇରଖ ପ୍ରାୟ ଉଠି ।୨।

ନୃତ୍ୟକାରୀ କଟିର ବାଜେଣୀ

ଏପରି ହୁଏ ଅନ୍ଦାଜ ନୟନ ବରକନ୍ଦାଜ

ବୁଧବୃନ୍ଦେ ଶୁଦ୍ଧ ହୃଦେ ବୁଝ

ପାଞ୍ଚମନ ପଦାତିକ ପ୍ରକୃତିଗଣ ସୈନିକ ।୩।

ଖଟିଥାନ୍ତି ସନ୍ତତ ସେବକ ।

ଅଛନ୍ତି ତ ସହଚରୀ ଝୁଣ୍ଟିଆ ଖୁଣ୍ଟିଆ ପରି

ରହିଛନ୍ତି ବାଦ୍ୟକାର ପରି ପୟର ନୂପୁର

କରଣ ଗୋକୁଳାନନ୍ଦ ଭଣି ।୪।

 

ଗୀତ - ୨

 

ଯାବଟ ବିଚାରାଳୟ ହେ ଥୟ ଚିତ୍ତେ କର ଲୟ । ( ଘୋଷା )

 

ଲଳିତ ଭାଷୀ ଲଳିତା ଓକିଲ

ମୁକ୍ତାନିନ୍ଦିଦନ୍ତୀ ଚିତ୍ରା ମୁକ୍ତାର

ଚପରାଶି ଦୂତୀ କାମ କରେ ଫୁର୍ତ୍ତି

ଜାରି କରେ କାମ ପରଓ୍ୱାନା ସମୁଦାୟ ।୧।

 

ଇନ୍ଦୁମୁଖୀ ଇନ୍ଦୁରେଖା ପେସ୍କାର

କୁନ୍ଦନାଙ୍ଗୀ କୁନ୍ଦଲତା ଜମାଦାର

ଚମ୍ପକଲତା ଯେ କନେଷ୍ଟବଳ ସେ

ବିଶାଖା ଅମଲା ଖଟନ୍ତି ନିଶ୍ଚୟ ।୨।

 

ଫୌଜଦାରି କିଲକ୍‌ଟରୀ ଦରଖାସ୍ତ

ଲେଖିବାରେ ତୁଙ୍ଗବିଦ୍ୟା ସିଦ୍ଧହସ୍ତ

ଗୋକୁଳାନନ୍ଦର ଏ ଗୀତ ସମସ୍ତ

ପଦ ଅଟଇ ଉପମା ଉପମେୟ ।୩।

 

ଗୀତ - ୩

 

ନିଶ୍ଚଳ ଚିତ୍ତରେ ବୁଧେ ଉଚିତରେ ,

ମଜା ମଜାଅ ଏ ରାଧାକୃଷ୍ଣ ଲୀଳାମୃତରେ । ( ଘୋଷା )

 

ଗୋପ କୋପନା କେ କୋପେ ,      କହଇ ଭୂପ ସମୀପେ

ଘାଟ ଗଲି ନୀର ଆଣି ,      ଘରେ ପଶି ନୀଳମଣି

ସର ଦୁଧ ଦହି ସବୁ ନେଲା ବୋହି

ହଜୁରେ ହାଜର ହୋଇ , ଲେଖିଲି ଦରଖାସ୍ତରେ ।୧।

 

ଛୋପରା ମେଞ୍ଚଡ଼ ଟୋକା      ଖପରା କଲା ଆଟିକା

ମାଆ ତା’ ସତ ନ ମଣେ      ଟାପରା ପରାୟେ ମଣେ

ତେଣୁ ହେ ନରେଶ , କରେ ଆସି ପେଶ

ମୋ ଦୁଃଖ ଗୁହାରୀ ଯାହା ସାହା ଏ ଅଦାଲତରେ ।୨।

 

ଆଉ ଏକ ଗୋପାଳୁଣୀ      ନୃପମଣି ପାଶେଭଣି

ଗଲି ଦିନେ ପାଣି ପାଇଁ      ମୋ ଘରେ ପଶି କହ୍ନାଇ

ଫିଟାଇ ବାଛୁରୀ ଦୁଧ ନଷ୍ଟ କରି

ଛାମୁରେ କଲି ଗୁହାରି , ବୁଝାଯାଉ ଉଚିତରେ ।୩।

 

ପୁନଶ୍ଚ ଆଭାରୀ ଏକ କହିଲା ରାଜା ନଜିକ

ଆସିଲି କରି ଇଚ୍ଛା ମୁଁ ବୁଝିବା ହେଉ ଶ୍ରୀଛାମୁଁ

ନନ୍ଦ ପେଟା ସୁତ ନେଲା ମୋ ଇଜତ

କହିବାକୁ ଲାଜ ତାକୁ ଦିଆଯାଉ ଫଜିତରେ ।୪।

 

ସର୍ବଗୋପୀ ହୋଇ ମେଳ      ବୋଇଲେ ଶୁଣ ଭୂପାଳ

ବସନ ଥୋଇ କୂଳରେ      ସ୍ନାନ କଲୁ ଯମୁନାରେ

ସେ ମୁରଲୀଧାରୀ ବସ୍ତ୍ର ନେଲା ହରି

ମାନହାନି ହେଲା କହେ ଗୋକୁଳାନନ୍ଦ ଗୀତରେ ।୫।

 

ଗୀତ - ୪

 

ଶୁଣ ନିଶ୍ଚଳ କରି ଚିତ୍ତ ହେ ଗୁଣବନ୍ତ

ତୃଣରୂପ ପାପକୁ ଏ ଦହିବ ଅନଳବତ । ( ଘୋଷା )

 

ଗୋପୀଏ କହିଲା ଯାଇ      ରାଈ ନୃପତିଙ୍କୁ ରାଇ

ଶୁଣିବା ହେଉ ମୋର ବୃତ୍ତାନ୍ତ

ଦିନେ ମୋତେ ନନ୍ଦସୁତ କଲେ ଯେମନ୍ତ

ଶାଶୂ ବୋହୂ ଘରେ ଥିଲୁ ଗୋଗୋଷ୍ଠେ ରହିଲେ କାନ୍ତ ।୧।

 

ଘରେ ପଶି ନୀଳମଣି ଖାଇଲେ ସରଲବଣୀ

ଦୀପ ଆମେ ଲଗାଇ ତୁରିତ

ଶାଶୂ ବୋହୂ ଧରାଧରି ହୋଇ ପଣତ

ବାନ୍ଧି କୃଷ୍ଣଙ୍କୁ କହିଲୁ ଯାଇ ଯଶୋଦା ଅଗ୍ରତ ।୨।

 

ସେଠାରେ ଦେଖିଲୁ ତାକୁ      ଧରି ଯଶୋଦା ହାତକୁ

ଆମ୍ଭ ପାଶେ ହେଲା ଉପଗତ

ଚାହିଁ ଆମ୍ଭେ ଦୁହେଁ ହେଲୁ ଆଶ୍ଚର୍ଯ୍ୟାନ୍ୱିତ

ପଳାଇ ଆସି ଦେଖିଲୁ ବନ୍ଧା ହୋଇଅଛି ସୁତ ।୩।

 

କହିଲ ଏକ ଆଭୀରୀ ରାତ୍ରେଦିନେ ବଂଶୀଧାରୀ

ବେଣୁ ସ୍ୱନେ ଡାକିନେଲା ସେ ତ

ହଟହଟା କଲା ପେଟାପୁଅ ବହୁତ

କରଣ ଗୋକୁଳାନନ୍ଦ ପଟ୍ଟନାୟକ ରଚିତ ।୪।

 

ଗୀତ - ୫

 

ଛାମୁଁ କରି ଶ୍ରୀଛାମୁରେ ହେ

ଗୁହାରି କରୁଛୁ ଖରେ । (ଘୋଷା)

 

ଦିନେ ନିଶୀଥରେ ନନ୍ଦ–ନନ୍ଦନ

କାନନରେ କଲା ମୁରଲୀସ୍ୱନ

ତାହା ଶୁଣି କାନ ଚଳିଗଲୁ ବନ

ଗୋପୀ ଜଣେ ରହିଗଲା ତା’ ଘରେ ।୧।

 

ନ ଛାଡ଼ିଲା ତାକୁ ତାହାର ପତି

ସେଥିଯୋଗେ ସେହି ମଲା ଝଟତି

କାହ୍ନୁ ଯୋଗେ ସିନା ମଲା ଯୁବତୀ

ଏତେବଡ଼ କଥା ହେଲା ଗୋପରେ ।୨।

 

ଏ ମର୍ଡ଼ର କେଶ ପାଇଁ କୁସୁନ

ଦାୟୀ ନ ହେବ କିମ୍ପା ହେ ରାଜନ

ତଲବ କର ତାହାକୁ ନରେଶ

କହଇ ଗୋକୁଳାନନ୍ଦ ଗୀତରେ ।୩।

 

ଗୀତ - ୬

 

ଯାବଟ ଈଶ୍ୱରୀ ଶ୍ରୀମତୀ କିଶୋରୀ କରେ ଏ ହୁକୁମ ଜାରି

ଅବଗତ ହେବ ଗୋପଭୂପ ନନ୍ଦନନ୍ଦନ ମୁରଲୀଧାରୀ

ହେ ଶଠ , ଆମ୍ଭ ହୁକୁମକୁ କର ପାଠ ,

ଶ୍ରୀଘ୍ର ଆସିବ ନ କରି ମଠ ।୧।

 

ଆମ୍ଭ ଶ୍ରୀଛାମୁରେ ତୁମ୍ଭର ନାମରେ ଗୋପଗୋପାଳୁଣୀମାନେ ,

କଲେ ମୋକଦ୍ଦମା ତୁମ୍ଭଙ୍କୁ ହେ ଜମା କ୍ଷମା ନାହିଁ ଭାବ ମନେ

ଏଥର , ପଡ଼ିଅଛି ହାବୁଡ଼େ ଆମ୍ଭର ,

ନିଶ୍ଚେ ହେବ କେତେ ହରବର ।୨।

 

ନ ମଣ ସାମାନ୍ୟ ହୁକୁମ ଅମାନ୍ୟ ହେଲେ ହେବ ଉଆରଣ୍ଟ

ଏହି ଗୋପପୁର କରିଅଛ ଜୁର ତୁମେ ତ ବିଷମ ଖଣ୍ଟ

ହେ ଘେନ, ଗୋକୁଳାନନ୍ଦର ନିବେଦନ

ଯମଦଣ୍ଡ କରିବ ଖଣ୍ଡନ ।୩।

 

ଗୀତ - ୭

 

ଶୁଣ ଗୁଣବନ୍ତ ହେ ! ସ୍ଥିର କରି ଚିତ୍ତରେ

ଖୁଣ ଥିଲେ ନ ଧରିବ ଏ ଗୀତରେ । ( ଘୋଷା )

 

ଶ୍ରୀମତୀ କହୁଛନ୍ତି ଶ୍ରୀକୃଷ୍ଣ ଅଗ୍ରତରେ

ତୁମେ ଯେ ପଶି ଏକ ଗୋପୀଘର ଭିତରେ

ଲବଣୀ ଦୁଧସର ସମସ୍ତ କଲ ଜୁର

ଚୋରିରେ ହେବ ନିଶ୍ଚେ ତୁମ୍ଭେ ଗିରଫଦାର ।୧।

 

ତିନିଶ ଅଣାଶୀ ଦଫାଏ ସଫାଗୀର

ତିନିବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଗାର ।

ଛପି ଛପି ପଶିଲ ଏକ ଗୋପିକା – ଘର

ବତ୍ସତରୀ ସମସ୍ତ ଫିଟାଇବାରୁ ତାର ।୨।

 

ନଷ୍ଟ ହେଲା ଆଦାୟ ହୋଇଥାନ୍ତା ଯେ କ୍ଷୀର

ପାଞ୍ଚଶତ ମୁଦ୍ରାରୁ ନ୍ୟୁନ ନୁହେଁ ତା ଦର ।

ଚାରିଶତ ଛବିଶ ଦଫା ତୁମ ଉପର

ତିନିମାସ କୟଦ ଦଣ୍ଡ ହୋଇଲା ସ୍ଥିର ।୩।

 

ଆଇନି ଦର୍ଶେ ଆମ୍ଭ ମତରେ ।୧।

ଗୋପର ଗୋପନାରୀ ହରିଲେ ଏକାନ୍ତରେ

ପରଦାରା- ହରଣ , ଦୋଷ ଏହା ଶାସ୍ତ୍ରରେ ।

ଚାରିଶ ବୟାନବେ ଦଫା ସଫା ଏଥିରେ ।୪।

 

ପାଞ୍ଚ ପାଞ୍ଚ ବରଷ ରହିବ କାରାଗାରେ ।

ଦିନେ ବସନ ଥୋଇ ଗୋପିକା ନଦୀତୀରେ

ବ୍ରୀଡ଼ା ବରଜି କ୍ରୀଡ଼ା କରୁଥିଲେ ଯେ ନୀରେ ।

ଏହାଙ୍କ ବାସ ନେଇ ବାନ୍ଧିଲ କଦମ୍ୱରେ ।୫।

 

ସମ୍ମାନ ନଷ୍ଟ ହେଲା ମାନ ହେ ମାନସରେ ।

ପଞ୍ଚ ମନରେ ପାଞ୍ଚ ଏ ପାଞ୍ଚଶ ଦଫାରେ

ଦୁଇବର୍ଷ ଯେ କାରାବାସ ମାନହାନିରେ

ବିଚାର କରିଛୁ ଉଚିତରେ ।୬।

 

ବନ୍ଧା ଥିଲଟି ଦିନେ ତୁମେ ଗୋପସୁତାରେ

ଖସି ହେ ଯାଇଥିଲ ମାତାପାଶେ ସୂତ୍ରରେ ।

ତନିଶ ବୟାଳିଶ ଦଫା ଖଟେ ଏଥିରେ

ଜେଲଦଣ୍ଡ ଭୋଗିବ ଖଲାସ ବର୍ଷକରେ ।୭।

 

ଦିନେ ମୁରଲୀସ୍ୱନ କରି ତୁମ୍ଭେ ରାତିରେ

ଗୋପୀମାନଙ୍କୁ ଡାକି ନେଇଥିଲ କତିରେ ।

ହଟହଟା କରିଛି ଲଟାରେ ସ୍ତ୍ରୀଜାତିରେ

ଶହେ କୋଡ଼ିଏ ଦଫା ଖଟିଲା ତୁମ୍ଭଠାରେ ।୮।

 

ଛମାସ କାରାଦଣ୍ଡ ଦିଆଯିବ ବିଧିରେ

ରାଧାକୃଷ୍ଣ ରହସ୍ୟ ପ୍ରକାଶ ସରସରେ ।

କୃଷ୍ଣ ଗିରଫଦାର ଏପରି ରହସ୍ୟରେ

ଉଦ୍ଧାର ହେବା କଥା ପ୍ରକାଶ ହେବ ଖରେ ।

ଗୋକୁଳାନନ୍ଦ କହେ ରସରେ ।୯।

 

ଗୀତ - ୮

 

ଶୁଣ ହେ ରାଧାକୃଷ୍ଣ ରସ , ହେ ବିଦୂଷ !

ରାଈ ଶ୍ରୀକୃଷ୍ଣଙ୍କୁ ରାଇ କଲେ ରାୟ ପ୍ରକାଶ । ( ଘୋଷା )

 

ବଂଶୀଟିକି ଧରି କରେ ନୀପମୂଳେ ନିଶୀଥରେ

ବଜାଇଲ ହୋଇଣ ଉଲ୍ଲାସ

କି ମନ୍ତ୍ର ଜାଣ ଜାଣଇ ତୁମ୍ଭ ମାନସ

ସେହି ସ୍ୱନ ଆଭୀରୀଙ୍କ କର୍ଣ୍ଣେ କରନ୍ତେ ପ୍ରବେଶ ।୧।

 

ଭବନର ଆଦ୍ୟ‌ଲୋପ କରି ବରଜିଲେ ଗୋପ

ଧପଟିଲେ ନ ମାନି ତାମସ

ପତିସୁତ ସମସ୍ତିଙ୍କି ମଣିଲେ ବିଷ

ଅଠାକାଠିରେ ପଡ଼ିଲେ ସେଠାରେ ପାଇଲେ କ୍ଳେଶ ।୨।

 

ଏକ ଗୋପୀ ସେହିହେତୁ ଗୃହେ ତା ’ ହୋଇଲା ମୃତ୍ୟୁ

ଏଥିରେ ତୁମ୍ଭର ହେଲା ଦୋଷ

ତିନିଶ ଦୁଇ ଦଫା ଏ ମର୍ଡ଼ର କେସ

କହଇ ଗୋକୁଳାନନ୍ଦ ହେବ ଦ୍ୱୀପାନ୍ତରେ ବାସ ।୩।

 

ଗୀତ - ୯

 

ହେ ନନ୍ଦସୁତ ମୁରଲୀଧର

ରାଈ ରାଜାଙ୍କ କୋର୍ଟରେ ଗିରଫଦାର । ( ଘୋଷା )

 

ଲଳିତା ଓକିଲ ତହିଁ ଚିତ୍ରା ମୁକ୍ତାର

ମୁଦଲା ତରଫ ନେଇ କହିଲେ ଗିର ।

ଚୋରି କରିବା ଦୋଷ ଯାହା ଅଛନ୍ତି ଦେଇ

ମାଲ ତ ବରାମଦ କରି ନାହିଁ ମୁଦେଇ ।୧।

 

ଛାମୁଁରେ ତାଙ୍କ ମାମୁଁ ତ ନରସାଇଁ

ମାତୁଳର ପଦାର୍ଥ ଭଣଜା ଗଲା ନେଇ ।

ଦୁଇଶତ ତେପନ ଦଫାର ଅନୁଯାୟୀ

ଖଲାସ ହେବ ବ୍ୟକ୍ତି ଦେଲି ମୁଁ ସମଝାଇ ।୨।

 

ବାଛୁରୀ ଏକ ଗୋପୀଘରୁ ଦେଲେ ଫିଟାଇ

ନଷ୍ଟ ନ ହେଲା ଦ୍ରବ୍ୟ ତା ଛୁଆ ଗଲା ଖାଇ ।

ନିର୍ଦ୍ଦୋଷରେ ଖଲାସ ହେବ ସନ୍ଦେହ ନାହିଁ

ଦୁଇଶ ପଁଚାଳିଶ ଦଫାର ।୩।

 

ତାଙ୍କ ସୁଖେ ଖେଳୁଥି‌ଲେ ସେହି ଦାଣ୍ଡର

ରମଣୀ ବଳତ୍କାରେ ନେଲେ ଗୃହର ।

ମାଗୁ ନ ଥିଲେ ସେହି , ସର ଲବଣୀ ଦେଲା

ପୁଣି ତା ଇଚ୍ଛାମତେ କୋଳେ ଘେନି ଶୋଇଲା ।୪।

 

ଏଥିରୁ ଜଣାଯାଏ ନାରୀର ରାଜି ଥିଲା

ଜବରଦସ୍ତ ତିଳେ କରି ନାହିଁ ମୁଦାଲା ।

ଖଲାସରେ ଦୁଇଶ ଅଠାବନ ଜୁଟିଲା

ପବନ ତ ବସନ ଉଡ଼ାଇ ନେଉଥିଲା ।୫।

 

କାହିଁ ସେ ପଡ଼ିଥାନ୍ତା କିଏ ତାହା ଜାଣିଲା

ଡାଳେ ବାନ୍ଧି ଦେବାରୁ କିମ୍ପାଇ ଦୋଷ ହେଲା ।

ଦୁଇଶ ଅଠାବନ ଦଫା ସଫା ଜୁଟିଲା

ଖଲାସ ହେବାପାଇଁ ନାଗର ।୬।

 

ବନ୍ଧା ଥିଲା ମୁଦାଲାର ଚରଣ କର

କିପରି ବନ୍ଧିଲା ସେ ଗୋପିକାବର ।

ଏକଥା ତ ସମ୍ପୂଣ୍ଣ ଅସମ୍ଭବ ଅଟଇ

ନିଜ ସୁତକୁ ନିଜେ ବାନ୍ଧିଥିଲା ସେ ଗୋଈ ।୭।

 

ରାତିର ଦୀପାଲୋକେ ବାରିପାରିଲା ନାହିଁ

ଏଣୁ ମୁଦାଲା କଦାଚନ ଦୋଷୀ ନୁହଇ

ଦୁଇଶ ଅଠଚାଳିଶରେ ଖଲାସ ହୋଇ

ତାଙ୍କ ସୁଖନିମନ୍ତେ ବେଣୁ ଥିଲେ ବଜାଇ ।୮।

 

ଓଟାରି ତ କାହାକୁ ନେଇ ନ ଥିଲା କେହି

ଗୃହେ ଥିଲେ ହିନସ୍ତା ହୁଅନ୍ତେ କାହିଁପାଇଁ ।

ଏଥିରୁ ଅନୁମାନ ମୁଦେଇ ହେଲା ବାଇ

ନିର୍ଦ୍ଦୋଷରେ ମୁଦାଲା ଖଲାସ ହେବାପାଇଁ ।୯।

 

ଦୁଇଷ ଅଠାବନ ଦଫା ସଫା ଖଟଇ

ଗୋକୁଳାନନ୍ଦ କହେ ଗୀତର

 

ଗୀତ - ୧୦

ସ୍ଥିରଚିତ୍ତେ ନାରୀରାଜା ଶୁଣିବା ହେଉ ଆପଣ

ମଣିଷ ମାରୁ କେସରୁ ଖଲାସ ହେବା ପ୍ରମାଣ । ( ଘୋଷ )

 

ଦିନେ ନିଶିରେ ମୁରଲୀ ବଜାଇଲେ ବନମାଳୀ

ଗଲେ ଯେତେ ଗୋପନାରୀ ନ ହେଲେ କା ’ର ମରଣ ।୧।

 

ତାକୁ ପତି ନ ଛାଡ଼ିଲା ଖୁଣ୍ଟିରେ ବାନ୍ଧି ରଖିଲା

ହୃଦଯନ୍ତ୍ର ବନ୍ଦ ହେଲା ଏ ହେତୁ ଗଲା ପରାଣ  ।୨।

 

ଏଥିରେ ତାହାର ଧବ କିମ୍ପାଇ ଦୋଷୀ ନ ହେବେ

ମୁଦାଲା ଖଲାସ ହେବ ତିଳେ ଦୋଷ ନାହିଁ ଜାଣ ।୩।

 

ଦୁଇଶ ଅଠାବନରେ ଦଫା ଖଟିଲା ଏଠାରେ

ହରିଙ୍କୁ ଧ୍ୟାୟୀ ମନରେ ଗୋକୁଳାନନ୍ଦ କରଣ ।୪।

 

ପାଦଟିକା :

ରାଧାକୃଷ୍ଣ ଚରିତ ଅବଲମ୍ୱନରେ ଗାୟକମାନେ ନିଜ ଚାତୁର୍ଯ୍ୟ ଅନୁସାରେ ନାନାପ୍ରକର ବିଷୟ

କରିଥାନ୍ତି । ଏଠାରେ କୃଷ୍ଣଙ୍କ ବିରୋଧରେ ଗୋପପୁରରୁ ଆସିଥିଲା ବହୁ ଅଭିଯୋଗରେ ରାଧା ବିଚାର

କରିଛନ୍ତି ଜଣେ ମାଜିଷ୍ଟ୍ରେଟ୍‌ ଭାବରେ । କୃଷ୍ଣଙ୍କୁ ସଜା ଦେଉଛନ୍ତି , କିନ୍ତୁ ଓକିଲ ବୁଦ୍ଧି ଖଟାଇ କୃଷ୍ଣ

ସମସ୍ତ ଦୋଷରୁ ଖସି ଯାଇଛନ୍ତି ।

 

ଦୁଇ ଅବତାର

 

ରାଣୀ କହେ ବାଣୀ ପାଣିରେ ଭୂଧର ,

ରଖିଥିଲେ ତାଙ୍କୁ ମାନବ ନ ଧର ।

ବାଦ କରି ରଦହୃଦ ମଧ୍ୟେନାଦ

ଶେଷ ଫଳ ମନ୍ଦ ହେବଟି ଆମ୍ଭର ।୧।

 

ବାଳିକି ବିନାଶ କରିବାରେ କ୍ଳେଶ

ନୋହିଥିଲା ଅନୁଭବ ଯାହାଙ୍କର

ଗୋପାଳ ଆନନ୍ଦବର୍ଦ୍ଧନେ ସଶ୍ରଦ୍ଧ

କୁଜାନାରୀ  ସଙ୍ଗେ ସ୍ନେହ ବ୍ୟବହାର  ।୨।

 

ଧୀବର ଅର୍ଚ୍ଚିତ ସୁମନାବନ୍ଦିତ

ବିପତିରେ  ମୋଦ ଉଦ୍‌ଭବ ହୃଦୟ

ସୁବଳର ସଙ୍ଗୀ ଭାରିଜାର ଭଙ୍ଗୀ

ଜ୍ଞାତରେ ପଟୁତା ଜନ୍ମଛି ଅପାର ।୩।

 

ଦ୍ୱିଜର କାରଣ ବିଷୟେ ନିପୁଣ

ଦାସରଥି ଖ୍ୟାତ ଅଟନ୍ତି ବିଶ୍ୱର

ଜନକର ମନୋକାମନାକୁ ପୂର୍ଣ୍ଣ

କଲେ ଭୟପ୍ରାପ୍ତ ଭୃଗୁବଂଶବୀର ।୪।

 

ଗୋପରେ ବିହାର କରି ତାରିବାକୁ

ଯା ନାମ କଲେ ବିଭବ ,

ସ୍ମରି ସ୍ମରି ତାଙ୍କୁ କବିତା କରୁଛି

ଗୋକୁଳାନନ୍ଦ ଗରିବ ।୫।

 

ସୂଚନା : ଗୀତିକାଟିର ଦୁଇଟି ଅର୍ଥ ହେବ । ପ୍ରଥମେ ତ୍ରେତାଯୁଗର ରାଜା ରାବଣର ରାଣୀ ମନ୍ଦୋଦରୀ ରାମାୟଣର ଅବତାରୀ ପୁରୁଷ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି । ଦ୍ୱତୀୟରେ ଦ୍ୱାପର ଯୁଗର ରାଜା କଂସ ଆଗରେ ରାଣୀ ପଦ୍ମାବତୀ ବ୍ରହ୍ମବୈବର୍ତ୍ତ ପୁରାଣରୁ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି । ୧. ପାଣି – ସମୁଦ୍ରଜଳ , ହସ୍ତ, ୨. ଭୂଧର – ପର୍ବତ, ଗୋବର୍ଦ୍ଧନ , ୩. ବାଳି – ମହାବଳବାନ୍‌ ବାଳି, (ସ୍ତ୍ରୀ)ପୂତନା , ୫. କୁଜା-କୁ (ପୃଥିବୀ) ରୁ ଜାତା-ସୀତା । କୁଜା-କୁବ୍‌ଜା, ୪. ଗୋ (ପୃଥିବୀ)ର ପାଳ –ରାଜା । ଗୋପାଳ-ଗଉଡ଼, ୬. ବିପତି – ଗରୁଡ଼ , ୭. ଦ୍ୱିଜ – ପକ୍ଷୀ (ଜଟାୟୁ) , ବ୍ରାହ୍ମଣ (ସୁଦାମା), ୮. ଦାସରଥି – ସେବକଶ୍ରେଷ୍ଠ , ୯. ଭୃଗୁବଂଶବୀର – ପର୍ଶୁରାମ ।

 

 

ଲକ୍ଷିତ ଲକ୍ଷଣାରେ ବିଷ୍ଣୁବନ୍ଦନା

 

ରିପୁ ଭୟାଂଶୁ ଗରଧର ହେ , ନଦୀକର

ରାଜସ୍ୱ ପାତି ମାଗୁଛି ଛେଦ କୁତ୍ସିତ କୁମର । (ପଦ)

 

କାନନେ ଡାକିଲା ସର୍ପ, ନାଶିଲ ହସ୍ତୀର ଦର୍ପ

ନାଶାରେ ବସନ ହେଲାତାର

ଦ୍ୱାଦଶ ଶିବ ଶ୍ରେଷ୍ଠ ହେଉଛି ଧୀବର

ହଂସ ସାରଥି ପ୍ରଥମ ରୂପ ମୃତ୍ୟୁରୁ ଉଦ୍ଧାର ।୧।

 

ସୁଗ୍ରୀବ ଜ୍ୟେଷ୍ଠ ସୋଦର , ଚାଷ ଯନ୍ତ୍ରରେ ଆକାର

ଯୋଗବେଳେ ଡାକିଲେ କୂଟର ।

ଦେଲ କମଳ କମଳ ସୁଗନ୍ଧଖର

ଅର୍ଜୁନକୁ ଗ୍ରାସ କଲ ଗଣେଶ ବାହାନ ସାର ।୨।

 

ସୂଚନା :

ରିପୁଭୟାଂଶୁ – ରିପୁଯେ ଅରି । ଅରି – ଚକ୍ର । ଭୟଶବ୍ଦର ଅନ୍ୟ ପର୍ଯ୍ୟାୟ ‘ଦର’ । ଦର – ଶଙ୍ଖ ।

ଅଂଶୁ – କର, ହସ୍ତ । ରିପୁଭୟାଂଶୁ – ଶଙ୍ଖଚକ୍ରର । ଗରଧର – ଗର – ବିଷ , ବିଷ – କମଳା ।

 

ନଦୀକର

ନଦୀପଦରେ ଦୟା କର ନଦୀ । ଅର୍ଥାତ୍‌ ଦୟାକର । ହେ ଶଙ୍ଖଚକ୍ର ପଦ୍ମଧାରି ଦୟାକର ।

ରାଜସ୍ୱ ପଦ୍ମ – ଅନ୍ୟ ଅର୍ଥରେ କର । କର – ହସ୍ତ । ଛେଦ – ଦାନ । କୁ – ପୃଥିବୀ

 

‘‘ କୁ ବୋଲି ପବନ ଜଳକୁଳ ବୋଲି ବ୍ରହ୍ମାଙ୍କୁ ଶିରକୁ ସତ

କୁ ବୋଲି ପୁତ୍ସିତ କଥାକୁ ପୃଥ୍ୱୀକି ଶୁଣ ବୁଧେ ଦେଇ ଚିତ୍ତ । ’’

 

ପୃଥିବୀକୁମର – ମଙ୍ଗଳ । ଛେଦ କୁତ୍ସିତକୁମର – ମଙ୍ଗଳ ଦାନକର । କାନନ –ବନ । ବନ –ଜଳ , ସର୍ପ – ନାଗ / ନାଗ –ହସ୍ତୀ । ହସ୍ତୀ –କୁମ୍ଭୀ , ହସ୍ତୀର –କୁମ୍ଭୀରର । ନାଶା – ସ୍ୱର୍ଗ । ବସନ –ବାସ । ଦ୍ୱାଦଶ –ବାର । ଶିବ –ହର । ଶ୍ରେଷ୍ଠ –ବର । ଶିବଶ୍ରେଷ୍ଠ –ହରବର । ଧୀବର – ଦାସ , ଭୃତ୍ୟ ହରବର ହେଉଛି । ଏହା ବାର ଅର୍ଥାତ୍‌ ଜାଣ । ହଂସ –ସୂର୍ଯ୍ୟ । ସୂର୍ଯ୍ୟସାରଥି –ଅରୁଣ । ରୂପ –ବର୍ଣ୍ଣ । ବର୍ଣ୍ଣ –ଅକ୍ଷର । ସୂର୍ଯ୍ୟ ସାରଥି -ଅରୁଣର ପ୍ରଥମ ବର୍ଣ୍ଣ ‘ଅ’ ନାଶ କଲେ । ବାକି ରହିଲା ‘ରୁଣ’ । ଅର୍ଥାତ୍‌ ଋଣରୁ ଉଦ୍ଧାର କର । ସୁଗ୍ରୀବ ଜ୍ୟେଷ୍ଠ ସୋଦର –ବାଳୀ । ବଳେୀ –ଦ୍ରୌପଦୀ । ଚାଷଯନ୍ତ୍ର –ଲଙ୍ଗଳ । ତହିଁରେ ଆ’କାର ଯୋଗକଲେ ହେଲା –ଲଙ୍ଗଳା । କୂଟ –ସଭା । ସଭାରେ ଦ୍ରୌପଦୀଙ୍କୁ ଉଳଗ୍ନ କରୁଥିବା ବେଳେ ସେ ଡାକ ଦେଲେ । କମଳ କମଳ –ପଦ୍ମପଦ୍ମ । ସୁଗନ୍ଧ –ସୁବାସ । ଖର –ଶୀଘ୍ର । ବହୁ ସଂଖ୍ୟାରେ ଶୀଘ୍ର ବସ୍ତ୍ର ଦାନକଲେ ।

 

ଅକୁବେରପୁରୀବିଲୋକନଂ ,

ନ ଧରାସୂନୁକରଂ କଦାଚନ ।

ଅଥ ତତ୍‌ ପ୍ରତିକାରହେତବେ

ଦମୟନ୍ତୀପତିଲୋଚନଂ ଭଜ ।

ପରମ୍ପରା ଶ୍ଳୋକ

ବୃକ୍ଷଙ୍କ ନାମରେ ରମ୍ୟା ବେନିଫୁଲ ଜଳଧମ୍ୟା

 

ବୈଦେହୀ ବିଳାସ ୩୩/୪୩

(ଲକ୍ଷିତ ଲକ୍ଷଣାର ବିଖ୍ୟାତ ଉଦାହରଣ)

ଲକ୍ଷିତ ଲକ୍ଷଣ : ସଂସ୍କୃତ ଅଳଂକାରଶାସ୍ତ୍ରରେ ଚାତୁର୍ଯ୍ୟ ପୂର୍ଣ୍ଣ ଯେତେ ପ୍ରକାରର ଭାବପ୍ରକାଶନ କୌଶଳ ଅଛି , ସେଥିମଧ୍ୟରେ ଦୁଇଟି କୌଶଳ ହେଉଛି ଅତ୍ୟନ୍ତ ମନୋରମ । ପ୍ରଥମଟି ଲକ୍ଷିତଲକ୍ଷଣା ଏବଂ ଦ୍ୱତୀୟଟି ସାଧ୍ୟବସାନ ଲକ୍ଷଣା। ଲକ୍ଷିତଲକ୍ଷଣାର ରଚନାପାଇଁ ପ୍ରବଳ ଶବ୍ଦଜ୍ଞାନ , ପୁରାଣ ରଚିତ ଜ୍ଞାନ , ପ୍ରତ୍ୟୁତ୍ପନ୍ନମତିତା ଏବଂ ନାନା ବିଷୟରସଂଗତିସଂପାଦନ –ଏସବୁ ଏକାବେଳେକେ ଦରକାର । ଭଞ୍ଜଙ୍କ ‘ ବୈଦେହୀଶ ବିଳାସ ’ର ୩୩ ଛାନ୍ଦରେ ଏଥିରେ ଏକଦୃଷ୍ଟାନ୍ତ ରହିଛି । ପାଲା ଗାୟକମାନେ ତାହାକୁ ଅଙ୍କନ କରି ଶ୍ରୋତାମାନଙ୍କୁ ମୁଗ୍ଧ କରିଥାଆନ୍ତି ।

 

ବର୍ଣ୍ଣ ଚ୍ୟୁତି କ୍ରମରେ ଚାରିଋତୁ ବର୍ଣ୍ଣନା

 

ଉପବନରେବିହରି ସୁଖରେ ଉଲ୍ଲାସ

ଆଦର ସମୟ ଦିବସ ହେଲା ରଭସ  ।୧।

 

ସୁରତରଙ୍ଗର ଲୀଳା ହେଲା ଅତିଶୟ

ଅହିମକର ସୁଖଦ ଧ୍ରୁବ ନିଃସଂଶୟ ।୨।

 

ଅବିରତରେ ଚିତ୍ତକୁ ଦତ୍ତ କଲେ ନରେ

ଆଶୁ ଅଶୀତର କ୍ରୀଡ଼ା ବିଦ୍ୟ ଭୁବନରେ ହେ ।୩।

 

ଅଶେଷ ରସ ସ୍ଥାବର ଜଙ୍ଗମ ମୋହିଲା

ବିଷ ପ୍ରସୂନରେ ମହୀ ମହିଳା ଶୋହିଲା ।୪।

 

ଆତପ ଶାରଙ୍ଗେ ସୁଖ ହେଲା ପରାପତ

ଉମାଈଶ ଚିନ୍ତେ ଗୋକୁଳାନନ୍ଦ ଚିତ୍ତ ।୫।

 

ପାଦଟୀକା । ପବନ – ଗ୍ରୀଷ୍ମ । ବନରେ – ଜଳରେ । ରଭସ – ଚଞ୍ଚଳ , ଦର – ଶୀତ । ଶୀତ – ସମୟ ଚଞ୍ଚଳଚାଲିଯାଏ । ଆଦର ସମୟ – ଦର୍ପଣମୟ , ବସନ୍ତ ଋତୁରେ ଚାରଆଡ଼ ଦର୍ପଣପରି ନିର୍ମଳ ଦେଖାଗଲା।

ଦରସମୟ – ଗ୍ରାଷ୍ମ ବା ତାପ (ଭୟ) ସମୟରସମୟ - ଜଳପୂଣ୍ଣ । ଜଳରେ ଜଳଚର ପ୍ରାଣୀ ଓ ମନୁଷ୍ୟମାନେ ସୁଖରେ ବିଳାସ କରନ୍ତି ।ସୁତରଙ୍ଗର ଲୀଳା – ରତିକ୍ରୀଡ଼ା (ବସନ୍ତ)ରତ ରଙ୍ଗର ଲୀଳା – ବର୍ଷାରେ ଜଳଲହଡ଼ି । ରଙ୍ଗଲୀଳା – ରହସ୍ୟ ଲୀଳାଅହିମକର ଅର୍ଥାତ୍‌ ସୂର୍ଯ୍ୟଙ୍କର କିରଣ (ସୁଖଦ ହୁଏ) । ହିମକର – ଚନ୍ଦ୍ର ( ଅତ୍ୟନ୍ତ ସୁଖ ଦାୟକ )ମକର – କୁମ୍ଭୀର ପ୍ରଭୃତି ଜଳଜୀବ ( ସୁଖୀ ହେଲେ ) । କର – କିରଣ ( ସଖଦାୟକ)

 

ଅବିରତରେ – ଅବିର – ଫଗୁ । ବିରତ – ବିରକ୍ତି ( ଗ୍ରୀଷ୍ମ )ରତ- ରତିକ୍ରୀଡ଼ା । ତରେ – ଚଞ୍ଚଳ । ଆଶୁଅଶୀତର କ୍ରୀଡ଼ା – ଭୁବନରେ ଅର୍ଥାତ ଗୃହରେ , ଆଶୁ-ଶୀଘ୍ର । ଅଶୀତର କ୍ରୀଡ଼ା – ଶୀତ । ଅଶୀତ =ନହେବା । ଅଶୀତର ଅର୍ଥତା ( ଅଶିତ ସୁବାସିତ ଦ୍ରବ୍ୟ )ସୁବାସ ଦ୍ରବ୍ୟର କ୍ରୀଡ଼ା – ଅର୍ଥାତ ଚୁଆ , ଚନ୍ଦନ , କର୍ପୁର , ବୋଳି ହେବାଅଶୀତର – ଅଶତ – ଅନ୍ଧ କାର ମେଘ ଅନ୍ଧକାରଅଶେଷ ରସ – ଅତିଶୟ ଆନନ୍ଦ । ଶେଷ ରସ – ଜଳ କଷ୍ଟ । (ସ) ଷରସ – ଜଳପୂର୍ଣ୍ଣରସପୂର୍ଣ୍ଣ –ଶସ୍ୟପୂର୍ଣ୍ଣ । ବିଷ ପ୍ରସୂନ – ପଦ୍ମଫୁଲ । ଷ (ସ) ପ୍ରସୁନରେ – ମଲ୍ଲୀ , ବଉଳ ପ୍ରଭୃତିଫୁଲରେ ପ୍ରସୂନ – ଫୁଲ । ସୂନ- ଫୁଲ । ଆତପ – ଖରା । ସାରଙ୍ଗ – ଜଳ ( ଉଭୟେ ସୁଖପ୍ରଦ )ତପ – ଖରା । ଉମାଈଶ – ଶିବ । ମାଈଶ – ବିଷ୍ଣୁ , ଈଶ୍ୱର ।ଏହି କବିତା ଅତିଶୟ ପାଣ୍ଡିତ୍ୟ ପୂଣ୍ୟ ଓ କଷ୍ଟସାଧ୍ୟ । ସଂସ୍କୃତରେ ପ୍ରସିଦ୍ଧ ଶ୍ଲୋକ ‘ଗବୀଶ ପତ୍ରୋ ନଗଜାର୍ତ୍ତିହାରୀ ’ରେ ଗୋଟିଏ ଗୋଟିଏ ବର୍ଣ୍ଣ କଟିଲେ ଗୋଟିଏ ଗୋଟିଏ ନୂଆ ଅର୍ଥ ବାହାରେ । ମୋଟ ଦୁଇଟି ଅର୍ଥବାହାରିଥାଏ । କିନ୍ତୁ ଓଡ଼ିଶାରେ ପଣ୍ଡିତମାନେ ତିନୋଟି ଅର୍ଥ କରିଥାନ୍ତି । ଏହାର ସମୁନ୍ନତ ରୂପ ହେଉଛି ଭଞ୍ଜଙ୍କରକୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ୨୫ଶ ଛାନ୍ଦ । ଏଥିରେ ୩ଟି ଆଦ୍ୟବର୍ଣ୍ଣ ( ଗୋଟିକ ପରେ ଗୋଟିଏ ) କଟାଯାଇନୂଆଛନନ୍ଦରେ ପଢ଼ାଇଲେ , ନୂଆ ନୂଆ ଋତୁର ବର୍ଣ୍ଣନା ବାହାରେ । କିନ୍ତୁ ଗୋକୁଳାନନ୍ଦ ୪ଟି ଅକ୍ଷରକାଟି ଚାରିଋତୁ ବର୍ଣ୍ଣନା କରିଥିଲେ ଅସାଧାରଣ ରୀତିଯୁଗୀୟ ଚାତୁର୍ଯ୍ୟର । ମଧ୍ୟ ଯୁଗରେ ଦୀର୍ଘ ହ୍ରସ୍ୱ ଏବଂ ଶ, ଷ, ସ-ଏଗୁଡ଼ିକର ପ୍ରୟୋଗରେ ପ୍ରଭେଦ ଧରାଯାଉ ନ ଥିଲା । ପ୍ରମାଣ ହେଉଛି ହ୍ରସ୍ଵେ ଦୀର୍ଘେ ଚ ବର୍ଣ୍ଣନାଂ ।’’

 

ଗାୟକଙ୍କୁ ପ୍ରଶ୍ନ

 

କକା ଉଲଟେ ଯହିଁ ଚାରିଭୁଜ

ଚକାଡୋଳା ମୋର ଗୁହାରି ବୁଝ ।

ଡକାଇତ ପରି ଦୁର୍ଦ୍ଦଶା ଆସି

ଡକା ପକାଉଛି ଦେଲାଣି ଗ୍ରାସି

ବକା ପରି ଅଛି ରହି

ବକାମରା ମୋର ଦୁଃଖ ନ ଶୁଣିଲେ ନିଶ୍ଚୟ ସରିଲି ମୁହିଁ ।୧।

 

ଦ୍ୱାପରେ କୃଷ୍ଣ ଗୋପରେ ସମ୍ଭୂତ

କିମ୍ପାଇ ବନ୍ଦିଘରେ ହେଲେ ଜାତ ?

ବାପ ମାଆ ବସୁଦେବ ଦେବକୀ

କୋପରେ କଂସ ବାନ୍ଧିଲା ଦୁହିଁଙ୍କି ।

କି ପାପ ପୂର୍ବରୁ ଥିଲା ?

ସମ୍ୱାଦ ସମସ୍ତ ବୁଝାଇ କହିବ କିମ୍ପା ଶିଙ୍କୁଳି ଲାଗିଲା ? ।୨।

 

ବନ୍ଦି ଘରେ କୃଷ୍ଣ ହେଲେ ଜନମ ,

ମନ୍ଦିରେ ଘୋଟିଥିଲା ମହାତମ

ଯୁଟାଇଲା ତହିଁ କିଏ ଆଲୁଅ ?

ଫିଟାଇଲା ଶିଙ୍କୁଳି କିଏ କହ ?

କବାଟ କିଏ ଖୋଲିଲା ?

ସେ ବାଟରେ ଯେତେବେଳେ ବସୁଦେବ କୃଷ୍ଣଙ୍କୁ ଘେନି ଚଳିଲା ।୩।

 

ପଥେ ଉଗ୍ରସେନ ହୋଇଲା ଭେଟ

କେତେ ଘଡ଼ି ରାତି କର ପ୍ରକଟ ?

ନନ୍ଦଘରେ ଯେତେବେଳେ ମିଳିଲେ,

କେତେ ଗୋପବାଳା ସେଠାରେ ଥିଲେ ?

କିଏ ଏନ୍ତୁଡ଼ି ଥାପିଲା ?

ନାଭି କେ କାଟିଲା ବୁଝାଇ କହିବ ମନେ ସନ୍ଦେହ ଲାଗିଲା ? ।୪।

 

ଅସୁର କାହିଁକି କୃଷ୍ଣଙ୍କ ମାମୁଁ ?

କହିବ ପଚାରୁଅଛି ଯାହା ମୁଁ

କିଏ କଂସକୁ ଦେଇଥିଲା ବର ?

ଚରଣେ ‌ସେବିଲେ ସର୍ବ ଅମର ।

ଅଷ୍ଟ ମଲ୍ଲ ପୂତନାଦି ,

ଚାଣୂର ମୁଷ୍ଟିକ କୁବୁଜା ରଜକ ପୂର୍ବମର୍ମ କଥା ଭେଦି ।୫।

 

ରାଧା କୃଷ୍ଣଙ୍କର ଅଟନ୍ତି ମାଇଁ

ସେହି ଦୁହିଁଙ୍କର ପ୍ରୀତି କୀମ୍ପାଇଁ ?

ପୂର୍ବେ ଚନ୍ଦ୍ରସେଣା କିଏ ସେ ଥିଲା ?

ନପୁଂସକ ହୋଇ ଜନମ ହେଲା

ରାଧାଙ୍କର କିମ୍ପା ପତି ?

ବିଧାନ ସକଳ ବୁଝାଇ କହିବ ନ ହୋଇବ ଆନମତି ।୬।

 

ଗୋପପୁରେ କେତୋଟି ନନ୍ଦ ଥିଲେ ?

କେଉଁ ନନ୍ଦ ଘରେ କୃଷ୍ଣ ବଢ଼ିଲେ ?

ଭଗବାନ ଛନ୍ତି ଯାହାର କୋଳେ ,

ବଢ଼ିଲା ଯମୁନା ସେତିକି ବେଳେ ।

ଗୋପକୁ ମଥୁରା କେତେ ?

ତହିଁ ମଧ୍ୟେ ବୃନ୍ଦାବନ ରହିଅଛି ବୁଝାଇ କହିବ ମୋତେ ।୭।

 

‌‌ଗୋପାଳ କୂଳେ କୃଷ୍ଣ କିମ୍ପା ଜାତ ?

କପାଳ କଥାଏ ପୂର୍ବ ବୃତ୍ତାନ୍ତ

କେହୁ ଦେଲେ ତାଙ୍କୁ ଦୋହନ ଶିକ୍ଷା ?

କିଏ ତାଙ୍କଠାରେ ନେଲେ ପରୀକ୍ଷା ।

ଲଉଡ଼ି କଠାଉ ଛତା ,

କିଏ ଦେଲା ଛନ୍ଦ ନ କରିଣ ଛନ୍ଦ ଏ ସଭା ମଧ୍ୟରେ ବତା ? ।୮।

 

କୃଷ୍ଣଙ୍କୁ କାହିଁକି ଦଂଶିଲା କାଳି ?

କେଉଁଦିନ ତାହା କହିବ ଭାଳି ?

କିଏ ଅଭିଶାପ କାହିଁକି ଦେଲା ?

କିମ୍ପାଇ ଏ ଦଣ୍ଡ ତାକୁ ପଡ଼ିଲା ?

ନକ୍ଷତ୍ର ଯୋଗ କରଣ

କେତେ ଦଣ୍ଡଠାରେ କୃଷ୍ଣଙ୍କୁ ଦଂଶିଲା ବୁଝାଇ କହ ତକ୍ଷଣ ? ।୯।

 

ଯେହୁ ତ ଯମୁନା ସେହି କାଳିନ୍ଦୀ

ସେହି ଅଟଇ ପୁଣି ଏକ ନଦୀ ।

ସେଠାରେ କେମିତି ଫୁଟିଲା ପଦ୍ମ ,

କହିବ ବୁଝାଇ ନ କରି ଛଦ୍ମ ।

ଗୋକୁଳାନନ୍ଦ କହଇ

ସଦଗୁରୁ ସେବି ଥିଲେ ଏଇ ଭେଦ କହିବ ଗାୟକ ଭାଇ ।୧୦।

 

ହେମ ସାରଙ୍ଗଲୀଳା

 

କ୍ଷିତିଜାପତି ମତିହରା କେ କର ସାରା

ଦଣ୍ଡକରେ କୋଦଣ୍ଡକରେ ସେ ମରା । (ଘୋଷା)

 

ହେଉଥିଲେ ନରସାଇଁ ନ ରହିବା ପାଇଁ କାହିଁ

କୂଟ କଲା ମନ୍ଥରା ମୁଖରା (ଗୃହେ)

ମଇଥିଳୀ ସଉମିତ୍ରି ସହ କେ ତ୍ୱରା (ରାମ)

ସାକେତ ପ୍ରଦେଶୁ ଗଲେ ହରିବାକୁ କାହା ଭାରା । (ରସା) ।୧।

 

ରହିଲେ ଅତ୍ରି ଆଶ୍ରମ ରାତ୍ରିରେ କଲେ ବିଶ୍ରାମ

କିସ ଦେଲେ ମୁନିପତ୍ନୀ ଧୀରା । (ତୀର)

ଗଲେ ପଞ୍ଚବଟୀକି କି କଲା ତ୍ରିଶିରା । (ରଙ୍ଗ)

ଲିଭିଲା କା ପ୍ରାଣଦୀପ ମଇତ୍ର ଛଳରେ ପରା (ବାଳୀ) ।୨।

 

ଲାଗି ଅଭୟ ଚରଣ ପଥରେ କାନନେ ଘେନ

କିଏ ପାଲଟିଲା ନାରୀ – ହୀରା (ଶିଳା)

ବହିର୍ଲିପିରେ କହିଲା ଏ ଗୀତ ଖାରା

କରଣ ଗୋକୁଳାନ୍ଦ ସୁମରି ମୁରଲୀଧରା ।୩।

 

ସୂଚନା : ଦୁଇଟି ସଂସ୍କୃତ ଶ୍ଳୋକର ଅନ୍ତର୍ଲିପି – ବହିର୍ଲିପି – ନିୟମରେ

କବି ଏ ଗୀତଟି ରଚନା କରିଛନ୍ତି ।

ତାଙ୍କ ନିଜର ବ୍ୟାଖ୍ୟା ନିମ୍ନରେ ଉଦ୍ଧୃତ ହେଲା –

 

ସମ୍ୱୁଦ୍ଧୌ କଥ୍ୟତେ କିଂ , କନକପରିମିତ

ଜ୍ଞାପନେ ସ୍ୱର୍ଣ୍ଣକାରାଃ

ଶବ୍‌ଦଂ କଂ ବ୍ୟାହାରନ୍ତ୍ୟୁକଳ – ଜନବସତୌ

କିଂ ପୁନର୍ଜନବାଚି

କା କାମିନ୍ୟାଂ ଦଶାସ୍ୟାନୁଚର – ତନୁକୃତ ।

ରାମଚନ୍ଦ୍ରସ୍ୟ ଚିତ୍ତଂ

ଜହ୍ରେକା ପଞ୍ଚବଟ୍ୟାଂ ଭୁବନହିତକୃତେ

ହେମ ସାରଙ୍ଗ ଲୀଳା ।

 

ଅର୍ଥ : ସମ୍ୱୁଦ୍ଦୌ କଥ୍ୟତେ କିଂ । ସମ୍ଵୋଧନରେ ଲୋକେ କ’ଣ କହନ୍ତି – ‘ହେ’ । କନକପରିମିତିଜ୍ଞାପନେ ସ୍ୱର୍ଣ୍ଣକାରାଃ କଂ ଶବ୍ଦଂ ବ୍ୟାହରନ୍ତ୍ୟୁତ୍କଳ ଜନବସତୌ – (କନକ ପରିମିତି ଜ୍ଞାପନେ) ସୁନାରପରିମାଣ ଜଣାଇବାକୁ (ସ୍ୱର୍ଣ୍ଣକାରାଃ) ବଣିଆମାନେ (ଶଦ୍ଦଂ) କେଉଁ ଶବ୍ଦ (ଉତ୍କଳ ଜନବସତୌ)ଉତ୍କଳ – ପ୍ରଦେଶରେ (ବ୍ୟାହରନ୍ତି) କହନ୍ତି – ମସା । କିଂ ପୁନଃ ଜନ୍ୟବାଚି ? ଜନ୍ୟ ଯେ ଯୁଦ୍ଧ ।କେଉଁ ଶବ୍ଦ ଯୁଦ୍ଧ ଅର୍ଥ ପ୍ରକାଶ କରେ – ରଙ୍ଗ । କା କାମିନ୍ୟା- କାମିନୀଠାରେ କ’ଣ ଥାଏ – ଲୀଳା ।ଏ ସଂସ୍କୃତ ଶ୍ଳୋକସ୍ଥ ସ୍ୱପ୍ରଶ୍ନମାନଙ୍କର ଉତ୍ତରରୁ ଆସୁଥିବା ଶବ୍ଦଗୁଡ଼ିକୁ ସଂଯୋଗ କଲେ ହେବ –ହେମ ସାରଙ୍ଗ ଲୀଳା ।ଦଶାସ୍ୟାନୁଚରତନୁକୃତା – ରାବଣର ଅନୁଚରର ତନୁଦ୍ୱାରା କୃତ । କା ଜହ୍ରେ ପଞ୍ଚବଟ୍ୟାଂ ଭୁବନ –ହିତକୃତେ । କା – କୀଏ । ରାମଚନ୍ଦ୍ର ଚିତ୍ତଂ – ରାମଚନ୍ଦ୍ରଙ୍କର ଚିତ୍ତକୁ । ପଞ୍ଚବଟ୍ୟାଂ – ପଞ୍ଚବଟୀବନରେ ।ଭୁବନହିତକୃତେ- ସଂସାରର ହିତ ନିମିତ୍ତ । ଜହ୍ରେ –ହରଣ କଲା ? ହେମ ସାରଙ୍ଗଲୀଳା ଅର୍ଥାତ୍‌ ସୁବର୍ଣ୍ଣ ହରିଣର କ୍ରୀଡ଼ା ।

 

କିଂ ତୃଷ୍ଣାକାରି କାଦୃକ୍‌ ରଥଚରଣମରଂ

ରୌତି କାଃ କାବ୍ଧିକାଞ୍ଚିଃ

କୋଽପସ୍ମାରୀ ଭୁଜଙ୍ଗେ କିମୁ କଳହଶମଂ

ତ୍ୱାର୍ଯ୍ୟ – ସମ୍ଵୋଧନେ କିଂ ?

କାସୁନ୍ଦର୍ଯ୍ୟାମପୀନ୍ଦୁଃ କଥମବନିଭୃତଃ

କା ଚ ସମ୍ୱୁଦ୍ଧି – ରଗ୍ନେ –

ର୍ବୀଜଂ କିଂ କା ବନୀଜା ପତିସୁମତିହରା

ହେମ ସାରଙ୍ଗ ଲୀଳା

 

ଅର୍ଥ : କିଂ ତୃଷ୍ଣାକାରି । ତୃଷ୍ଣା କରାଏ କିଏ ? ହେମ । କୀଦୃକ୍‌ରଥଚରଣଂ – ରଥର ଚରଣ କିପରି ?-ଅର ସହିତ ବର୍ତ୍ତମାନ ସାରଂ । ଅରଂ ରୌତି କାଃ – (ଅରଂ) ଉତ୍ତମରୂପେ ( ରୌତି କଃ ) ପାଟି କରେକିଏ – ଗଳୀ ଅର୍ଥାତ୍‌ ଯାହାର ଗଳା ଅଛି । କାବ୍ଧିକାଞ୍ଚି – ଅବ୍ଧି – ସମୁଦ୍ର । କାଞ୍ଚି ବା ମେଖଳା ସ୍ୱରୂପରହିଛି ଯାହାର , ସେ କୀଏ ? ଇଳା ବା ପୃଥିବୀ । ଗଳା + ଇଳା = ଗଳୀଳା । କିଂ ତୃଷ୍ଣାକାରି (ହେମ)କୀଦୃଗରଥଚରଣ (ସାର) ହେମସାର । ଅରଂ ରୌତି କଃ (ଗଳୀ) କାବ୍ଧିକାଞ୍ଚି – ଇଳା । ପଦ ହେଲାହେମ ସାରଙ୍ଗ ଲୀଳା । ଉକ୍ତ ଶବ୍ଦଟକୁ ଲେଉଟାଇଲେ ହେବ ଲାଳୀ , ଗରଂ , ସାମ ହେ । ଏହାଶ୍ଳୋକର ୨ୟ ଧାଡ଼ିରୁ ବାହାରିବ । ପ୍ରଥମ ପାଦର ଅରଂ ବଦଳରେ ସୁଭାଷିତ – ରତ୍ନ ଭାଣ୍ଡାଗାରରେ “ଅହୋ” ଅଛି । କିନ୍ତୁ ‘‘ ଅହଂ ’’ ପାଠ ଅଧିକ ଯୁକ୍ତିଯୁକ୍ତ । କୋଽପସ୍ମାରୀ – ଅପସ୍ମାରୀ କେ (ଅପସ୍ମାର ରାଗୀ କାହାକୁ କହିବା )ଲାଳୀ ଅର୍ଥାତ୍‌ ଯାହାଠାରୁ ବିଶେଷ ପରିମାଣରେ ଲାଳ ବହେ । ଭୁଜଙ୍ଗେ – କିମୁ । ଭୁଜଙ୍ଗ ଯେ ସର୍ପ ,ତାଠାରେ କିମୁ କଣଥାଏ ? ଗରଂ (ବିଷ) କଳହଶମଂ – କଳହକୁ କ’ଣ ଶାନ୍ତ କରେ ? ସାମ ଅର୍ଥାତ୍‌ ବୁଝାସୁଝା । ଆର୍ଯ୍ୟସମ୍ଵୋଧନେ କିଂ – ବିଶିଷ୍ଟ ଲୋକଙ୍କୁ ସମ୍ଵୋଧନରେ କ’ଣ କହନ୍ତି – ହେ । କୋଽପସ୍ମାରୀ(ଲାଳୀ), ଭୁଜଙ୍ଗେ କିମୁ (ଗରଂ) କଳହଶମଂ କିଂ ? (ସାମ) । ଏଗୁଡ଼ିକ ସଂଯୋଗ କଲେ ଲାଳୀ ,ଗରଂ, ସାମହେ – ଏହାକୁ ଲେଉଟାଇ ପଢ଼ିଲେ ହେବ ହେମ ସାରଙ୍ଗ ଲୀଳା । ‘ହେମ ସାରଙ୍ଗ ଲୀଳା’ର ପ୍ରଥମରୁ ଗୋଟିଏ ଅକ୍ଷର ଓ ଶେଷରୁ ଗୋଟିଏ ଅକ୍ଷର ମିାଶାଇ ପଢ଼ିଲେ ଯାହାହେବ ତାହା ଶ୍ଳୋକର ୩ୟ ଧାଡ଼ିରେ ବାହାରିବ । ଏହାର ପ୍ରଥମ ଅକ୍ଷର – ହେ , ଶେଷ ଅକ୍ଷର ଳା ଦୁଇଟି ମିଶିଲେ ହେଳା ।କା ସୁନ୍ଦର୍ଯ୍ୟାଂ – ସୁନ୍ଦରୀଠାରେ କଣ ଥାଏ – ହେଳା । ହେଳା ଅଠେଇଶ ଅଳଙ୍କାର ମଧ୍ୟରୁ ଗୋଟିଏ ।ଅପୀନ୍ଦୁଃ କଥମ୍‌ଇନ୍ଦୁଃ କଥଂ – ଚନ୍ଦ୍ର (ଦେଖିବାକୁ) କିପରି ? ମଳୀ – ମଳ ବା କଳଙ୍କ ଯୁକ୍ତ । ଦ୍ୱତୀୟ ଅକ୍ଷର – ମଷଷ୍ଠ ଅକ୍ଷର – ଳୀ । ଜଂମଳୀ ବା ମଳି । ଅବନିଭୂତଃକାଚ ସଂବୁଦ୍ଧିଃ । ଅବନିଭୁତ୍‌ ଯେ ପର୍ବତ , ତାର ସମ୍ଵୋଧନରେକଣ କହନ୍ତି – ସାଗ । ତୃତୀୟ ଅକ୍ଷର ସା –ପଞ୍ଚମ ଅକ୍ଷର ଗ । ସାଗ । ଅଗ ସହିତ ବର୍ତ୍ତମାନ ‘ସାଗ’ । ଆଗ୍ନେର୍ବୀଜକିଂ – ଅଗ୍ନେଃ – ଅଗ୍ନିଙ୍କର ବୀଜମନ୍ତ୍ର କ’ଣ – ରଂ ?ଏହିପରି ଶବ୍ଦସୃଷ୍ଟି ହେଲା – ହେଳା ମଳୀ , ସାଗ , ରଂ । ଶବ୍ଦଗୁଡ଼ିକ ପ୍ରଥମ ଓ ଶେଷ ବର୍ଣ୍ଣକୁଯୋଗ କଲେ ହେବ – ହେମ ସାରଙ୍ଗ ଲୀଳା ।

 

ଶ୍ଳୋକର ଚତୁର୍ଥ ପାଦରୁ ବାହାରିବ – ହେମ ସାରଙ୍ଗ ଲୀଳାକାବନୀଜା ପତି ସୁମତିହରା – କା ଅବନୀଜାପତି ସୁମତିହରା – ଅବନୀଜା ଯେ ସୀତା ତାଙ୍କ ପତିଯେ ରାମ ତାଙ୍କ ସୁମତି କିଏ ହରଣ କରିଥିଲେ । ହେମ ସାରଙ୍ଗଲୀଳା ।

 

ଋତୁମତୀ ଯୁବତୀ ସହ ତିନି ଋତୁବର୍ଣ୍ଣନା

 

ଋତୁମତୀ ଏ ଯୁବତୀ, ମତିରେ ହୁଏ ପ୍ରତୀତି ।

ପୁଷ୍ପ ସମୟରେ କାନ୍ତ, ଲଭିବ ଏକାନ୍ତ ପ୍ରୀତି (ଘୋଷ)

 

ସୁମନାବର କେତକୀ , ଚୂତ ନାରେଶ୍ୱର ଗତି,

ଏ ସୁନାରୀ କନିଆର ଅଶୋକ ପଦ୍ମିନୀ ଜାତି ।୧।

 

ଗିରୀସମେ ପାଣିଦାନ ନିଦାଘରେ ବିପ୍ରସନ ,

କରଜରତିର ଥାନ ପାଞ୍ଚଶର ବିନଶ୍ୟତି ।୨।

 

ଆଷାଢ଼ମ୍ପାଇଣ ଘନ , ମିଥୁନେ ଆଶାର ପୂର୍ଣ୍ଣ

ବରଷାର ବିଳାସରେ , ବାସନ ଚାପ ପ୍ରାପତି ।୩।

 

ଜନନୀକୁଳ ହରଷ, ତ୍ରିକାଳରେ ହୁଅ ତୋଷ,

ସଭ୍ୟ ସମାଜ ଉଲ୍ଲାସ ହେଲେ ମୋ ଶ୍ରମ ପ୍ରାପତି ।୪।

 

ପାଦଟୀକା :ପ୍ରତୀତି – ଜଣାଯିବା । ଋତୁମତୀ - ରଜସ୍ୱଳା । ଅନ୍ୟ ଅର୍ଥ – ବିଭିନ୍ନ ଋତୁର ସମନ୍ୱୟ--ପୁଷ୍ପସମୟରେ - ନାୟିକା ପୁଷ୍ପବତୀ ହେଲେ କାନ୍ତ ଏକାନ୍ତରେ ପ୍ରୀତିଲାଭ କରିବ । ପଷ୍ପସମୟରେ – ବସନ୍ତ ଋତୁରେ ଚାରିଆଡ଼େ ସୁନ୍ଦର ଦେଖାଜିବାରୁ ମନରେ ଆନନ୍ଦ ଜାତ ହୁଏ ।ସମନାବର – ସୁନ୍ଦରୀ ସ୍ତ୍ରୀ । ଏହାର ଗତି ନାଗେଶ୍ୱର ବା ମତ୍ତହସ୍ତୀର ଗତିପରି । ଏ ସୁନ୍ଦରୀକନିଆର – କନ୍ୟାର ଶୋକ ନାହିଁ । ଏ ପଦ୍ମିନୀ ଜାତି ସ୍ତ୍ରୀ , ବସନ୍ତ ପକ୍ଷରେ ଶ୍ରେଷ୍ଠ ପୁଷ୍ପକେତକୀ , ଚୂତ ; ନାଗେଶ୍ୱର , କନିଆର , ଅଶୋକ , ଜାତୀ , ବା ଜାଈ ପ୍ରକାଶ ହେଲା ।ପ୍ରସ୍ପୁଟିତ ହେଲା । ଗିରୀସମେ – ଗିରି ସମାନ । ଯେଉଁକୁଳ ଏଥିରେ ପାଣି ବା ହସ୍ତ ଦାନ

 

କଲେ । ଚାଳନା କଲେ । ନିଦାଘରେ ଅର୍ଥାତ୍‌ ନିବୁଜଘରେ ଗ୍ରୀଷ୍ମ ସମୟରେ ଆନନ୍ଦ ମିଳିଥାଏ । କରଜ ଅର୍ଥାତ୍‌ ନଖ ରତିର ଥାନରେ ବା ରତି କରିବାର ସ୍ଥାନରେ ଚାଳନା

 

କଲେ ପାଞ୍ଚଶର ବିନଶ୍ୟତି ଅର୍ଥାତ୍‌ କାମବାଧା ଦୂର ହୁଏ । ଗ୍ରୀଷ୍ମ ଋତୁ ପକ୍ଷରେ ଗିରିସମେଗ୍ରୀଷ୍ମେ ପାଣିଦାନ କି ପାଣିର ଶୁଷ୍କତା ହୋଇଯାଏ । ବିପ୍ରସନ – ବିଷଣ୍ଣତା । କର –କିରଣ । ତାର ଶର ବୋଧ ହୁଏ । ପାଞ୍ଚଶର - ପାଞ୍ଚ ପାଞ୍ଚଟା ସର ବା ପୁଷ୍କାରଣୀ ଶୁଖିଯାଏ ।ଆଷାଢ଼ମ୍ପାଇଣ ଅର୍ଥାତ୍‌ ଆଶାକୁ ଲୁଚାଇ ରଖି ଘନ କି ଦୃଢ଼ ରୂପରେ ମିଥୁନ କି ଯୋଗ ହେବାରେଅର୍ଥାତ୍‌ ରତି କରିବାରେ ଆଶା ପୂର୍ଣ୍ଣ ହୁଏ । ବର ଅର୍ଥାତ ପ୍ରେମିକ ବା ରସିକ । ସାର – ଶ୍ରେଷ୍ଠ । ଇନ୍ଦ୍ରପଦପ୍ରାପ୍ତିର ସୁଖକୁ ମଧ୍ୟ ଏ ସୁଖ ବଳିଯାଏ । ବର୍ଷାପକ୍ଷରେ ଆଶା ତ ଦିଗ ଢମ୍ପାଇ – ଘୋଡ଼ାଇ , ଦିଗକୁ ଘୋଡ଼ାଇ ଘନ – ମେଘ , ଆସାର –ଜଳଧାରା – ସଂପାଦ କଲେ । ମଧ୍ୟ ଯୁଗରେ ଶ , ସ ଓ ଷର ସମାନତା ସ୍ୱୀକୃତ ହୋଇଥିଲା ।

 

ହରି -ହରିଣାକ୍ଷୀ

 

ଶ୍ଳେଷ ଏ କ୍ଳେଶ କବିତା ବୁଧେ ବୁଝ ମନ ଦେଇ ;

ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ମତ ପ୍ରକୃତ ଏତ ଅଟଇ । (ଘୋଷ)

 

କାମନାଶ ଫଳ ଅର୍ଥେ ହରି , ହରିଣାକ୍ଷୀ ଧ୍ୟାୟି;

ଅଙ୍କଦାନ କର ବାରେ ମୁକତି ମନାସି ଧାଇଁ ।୧।

 

ମତେ ଭଗତିରେ ତୋଷେ ସୁମନା ସାର ସରସେ;

ବରଦେବ ଖେଦେ ଭାଷେ ସଦା ଦାସ ପାଶେ ରହି ।୨।

 

ବରଜୁ ବର ବିଧିରେ ଭକ୍ତି ମୋର ସନ୍ନିଧିରେ;

ଉଦ୍ଧାରି ରଖି ପାଶରେ, ଭଗାରି ବର୍ଗକୁ ଦହି ।୩।

 

ବରହି ଶିଖା ଭୂଷଣ ବିରହର ଏ କଷଣ,

ପତିତ କରୁଛ ତ୍ରାଣ ଗୋକୁଳାନନ୍ଦ କହଇ ।୪।

 

ଏ ପଦ୍ୟରେ ଏକ ପକ୍ଷରେ ହରି ବା କୃଷ୍ଣଙ୍କର ଏବଂ ଅପର ପକ୍ଷରେ ହରିଣାକ୍ଷୀ

ଅର୍ଥାତ୍ ମୃଗନୟନା ଜଣେ ସୁନ୍ଦରୀ ନାରୀର ବର୍ଣ୍ଣନା କରାଯାଇଛି ।

 

ଅଦ୍ଭୁତୋପମା

 

କଷ ବିଦୁଷ ଅଦ୍ଭୁତ ଉପମାରସ

ରାକା ସୁଧାଂଶୁକୁ ତମ ଆଚ୍ଛାଦିଛି

ତତ୍‌ପରେ ପୁଣି ସାରସ । (ଘୋଷା)

 

ପକ୍ୱ ବିମ୍ୱପରେ ଣୁକ ବସିଅଛି

ନ କରେ ତହାକୁ ଗ୍ରାସ

ଅନେକପ ରମ୍ଭାବନେ ଗତି କରେ

ସେ ତରୁ ନ କରେ ନାଶ ।୧।

 

ଡମ୍ୱରୁ ଉପରେ ହେମଲତା ସ୍ଥିତି

ତତ୍‌ପରେ ପୁଣି ଗିରୀଶ

ଗିରିଶ ପାଣିରେ ଲୀନ ହୋଇଗଲା

ଏ ଅଟେ ଅଦ୍ଭୁତ ଭାଷ ।୨।

 

ବେନି କୁମ୍ଭ ପରେ ଶାତକୁମ୍ଭ ଅଛି

ଏ ଅଟଇ କି ରହସ୍ୟ

ବିରାଜି ଥିଲେ ହେଁ ସହସ୍ର ଦୀଧିତି

ତଥାପି ନୁହନ୍ତିଁ ନାଶ ।୩।

 

ରାମ ଲକ୍ଷ୍ମଣ ହନୁକୁ ଘେନି କରି

କରୁଅଛନ୍ତି ବିଳାସ

କହଇ ଗୋକୁଳାନନ୍ଦ ଯୁଦ୍ଧେ ସ୍ଥିର

ସୁଗ୍ରୀବର କଂସ ଭାଷା ।୪।

 

୧. ଅନେକପ (ଦ୍ୱପ) – ହାତୀ, ୨. ଶାତକୁମ୍ଭ – ସୁବର୍ଣ୍ଣ ,

ଭଞ୍ଜଙ୍କ ପ୍ରେମ ସୁଧାନିଧି’ର ୪ର୍ଥ ଛାନ୍ଦ ଏଥିପାଇଁ ପ୍ରସିଦ୍ଧ ।

 

ପକ୍ଷୀ ମାଳିକା

 

ଗୁଡ଼ କୋଚିଲା ଖାଇ ଜାମୁଁ  ଚିଲ ନାହିଁ ପରାଣ

ସେବକକୁ ଯୋଗ୍ୟ ନୁହଁ ଅଟଇ କୂଆ ଚରଣ । (ଘୋଷା)

 

ଶୂକର ପରି ପ୍ରକୃତି ପରଭୃତେ ଥାଅ ନିତି

ପାରାବାରେ କରି ଗତି ଆପେ ଚାହୁଁଛ ମରଣ ।୧।

 

ଗରୁଡ଼ର ବରଜିଲ ଚଟକଣି ଅରଜିଲ,

ବାଇଆ ପରାଏ ହେଲ ସାରିଲ ସ୍ୱ- ବଡ଼ବଣ ।୨।

 

ବଗଡ଼ ତୁମ୍ଭ ନାନୀଙ୍କୁ ମୟୁର ବସା ଗୁଣାକୁ

ନେଇ ଦେଇଗଲ ତାକୁ ମଧୁପ ଅଟ ପ୍ରମାଣ ।୩।

 

କାହୁଁ ଶିଖିଲ ଏ ରୀତି ହରଡ଼ରେ ପାଟି ପୂର୍ତ୍ତି

ବଣିଜ ତୁମ୍ଭର ନୀତି ପ୍ରଜାପତିର ଭିଆଣ ।୪।

 

ଗଣ୍ଡ ଭେରଣ୍ଡ ସରିବ ଏହିଠାରେ ଜୀବ ଯିବ

କାମନା ସଫଳ ହେବ ଗୋକୁଳାନନ୍ଦ ବଖାଣ ।୫।

 

୧. ଗୁଡ଼ କୋଚିଲା ଖାଇ ଅର୍ଥତା ବିଷ ଖାଇ ଯା ମୁଞ୍ଚଲ ପାହିଁ ପ୍ରାଣ, ୨. ପରଭୃତ୍‌ – କାଳ (ପରଭୃତ କୋକିଳ )୩. ଗରୁଡ଼ର – ମହାଭୟ ।ସୂଚନା : ଏ କବିତାଟି ପଢ଼ିଲେ ହଠାତ୍‌ ମନେ ହୁଏ ସତେ ଯେପରି ଗୁଡ଼ାଏ ପକ୍ଷୀଙ୍କ ତାଲିକା ଏଥିରେ ଦିଆଯାଇଛି ।କିନ୍ତୁ ସେ ତାଲିକା ଏଭଳି କୌଶଳରେ କରାଯାଇଛି ଯେ , ଜଣେ ପୁରୁଷ ତାର ପ୍ରେମିକାକୁ ନିଜ ମନକଥା କହି ଟିକିଏଆଶ୍ୱସ୍ତି ଲାଭ କରିଛି ।

 

ବୃକ୍ଷ ମାଳିକା

 

ସୁନାରୀ , ବର , ହରିଡ଼ା କଇଁ

କମଳା, ଲଳିତା,ବାର୍ତ୍ତାକି, ଯାଇ ।୧।

 

କୁନ୍ଦବନ୍ତା , ରାଇ, ବିରାଶ, କିଆଁ

ସୁକରୁଣା , ପଳାସ , ଲେଉଟିଆ ।୨।

 

ହରଡ଼ , ରଙ୍ଗଣୀ , ବାଘ ନଖିଆ

ବିଭୀତକୀ, ରମ୍ଭା , ଜୟା , ଶାଳୁଆ ।୩।

 

କାମିନୀ , ତୁଳସୀ , କେଳି , କଦମ୍ୱ

ସଜନା , ହିଁଜଳ , କୀତକ , ଯବ ।୪।

 

ସହଚରୀ , ଚୂତ , ଅଶନ , କ୍ଷୀର,

ବୀରତରୁ , ଅଙ୍ଗୁଠି , କରବୀର ।୫।

 

ମୁଚୁକୁନ୍ଦ , ଦମନକ , ମାଳତୀ

ହାରଗଉରା , ବରୁଣ, ଅଗସ୍ତି ।୬।

 

ସୁମରି ଏହାକୁ ଗୋକୁଳାନନ୍ଦ

ଯୋଡ଼ିଛି ପାଦପ ମାଳିକା ପଦ ।୭।

 

୧. ବିଭିତକୀ – ବାହାଡ଼ା , ୨. ବୀରତରୁ – ଅର୍ଜୁନ ।

 

ନଗର ମାଳିକା

 

ପୁରୀ କଟକରେ ସମ୍ୱଲପୁରରେ

ବାଲେଶ୍ୱର ଭାଷା ସୁମଧୁର (ଘୋଷା)

 

ରମ୍ଭା ଗଞ୍ଜାମରେ ଅଙ୍କେ ଆସିଆରେ

ଜବେ ଶ୍ୟାମାକର ଦୁଃଖ ଦୂର ;

ଋଷିଆ ଦେଶରେ ବିଳାସ ପୁରରେ

କିଆ ବାଣପୁର ଖୁରୁଧାର ।୧।

 

ବିଶାଖାପତନେ ଭଦ୍ରଖରେ ଭଣେ

ଅଙ୍ଗରେ ନେପାଳ ରାମାବର,

ଭାରତବର୍ଷରେ ହର ଭାରତରେ

ମୋତି ହାରିଯିବ ଦନ୍ତପୁରେ ।୨।

 

ମହୀଶୂର କରେ ସୁମନ କାଶୀରେ

ନବେଶି ପାଇଛି ସୁବେଶୀର

କୁନ୍ତଳ ରୁଚିର ହାସ ବିଦର୍ଭର

କାଞ୍ଚି ମଧ୍ୟ କାମରୂପ ସାର ।୩।

 

ଗୋପରେ ବହାର ଜଳେଶ୍ୱର ବର

ନୀଳଗିରି ଦରଭଙ୍ଗା ସାର ,

ରାମେଶ୍ୱରବାସୀ ଗୋକୁଳାନନ୍ଦର

ଦୁଃଖ ଧରା କୋଟରୁ ଉଦ୍ଧର ।୪।

 

୧. ଜବେ – ଶୀଘ୍ର ।

 

ବକ ଓ ଚନ୍ଦ୍ର

 

ବକ କହେ ଆହେ ଶଶୀ

ତୁମ୍ଭେ କି ମୋଠାରୁ ହୋଇବ ବେଶି

ଶୁକ୍ଳ ବେନି ପକ୍ଷ ପ୍ରତ୍ୟକ୍ଷରେ ଦେଖ

ତୁମ୍ଭେ କୃଷ୍ଣ ଶୁକ୍ଳ ମିଶି ।୧।

 

ଏକ ସ୍ଥାଣୁ ପର ବସତି ତୁମ୍ଭର

ସର୍ବ ସ୍ଥାଣୁପରେ ମୁଁ ଯାଏ ବସି

ବ୍ୟୋମପଥେ ଗତି କର ହେଲେ ରାତି

ମୁଁ ବ୍ୟୋମେ ଭୂତଳେ ପାରଇ ବସି ।୨।

 

ମସକରେ ଥରେ ତୁ ମୀନ ରାଶିରେ

ନଦୀ ସରୋବରେ ମୋ ମୀନରାଶି;

ଗୁଣିଜନ ମାନ୍ୟ କରନ୍ତି ଚନ୍ଦ୍ରଙ୍କୁ

ଗୋକୁଳାନନ୍ଦ ଏ ଗୀତରେ ଭାଷି ।୩।

 

ପାଦଟୀକା : ସ୍ଥାଣୁ – ଥୁଣ୍ଟା ଗଛ/ସ୍ଥାଣୁ – ମହାଦେବ

 

ବକ ଓ ଚନ୍ଦ୍ରଙ୍କର ତୁଳନାମୂଳକ ନିମ୍ନ ଶ୍ଳୋକଟିରେ ରାଜ ଅନୁଗ୍ରହ ନ ଥିଲେ ସାଧକର ସାଧାରଣ

ଯଥାର୍ଥଭାବରେ ଫୁଟିଉଠିବ ନାହିଁ ‌ବୋଲି ପ୍ରକାରାନ୍ତରେ ପ୍ରତିପାଦିତ ହୋଇଛି ।

ଶ୍ଳୋକଟି ହେଉଛି ।

ଉଭୌ ପକ୍ଷୌ ଶୁକ୍ଳୌ ଦିବିଚ ଭୁବି ଚାବାରିତ ଗତିଃ

ସଦା ମୀନଂ ଭୁକ୍ତେ ବସତି ସକଳ ସ୍ଥାଣୁଶିରସି ।

ବକେ ଚାନ୍ଦ୍ରଃ ସର୍ବଃ ଗୁଣସମୁଦୟଃ କିଂରଦଧିକୋ

ଗୁଣାଃ ସ୍ଥାନେ ମାନ୍ୟାଃ ନତୁ ନରବର ସ୍ଥାନରହିତାଃ ।

 

ଅର୍ଥ : ବକର ଦୁଇଟିଯାକ ଡେଣା (ପକ୍ଷ) ଧଳା (ଶୁକ୍ଳ) । ଭୁଇଁରେ (ଭୁବି) ଏବଂ ଆକାଶରେ (ଦିବି) ତାହାର ଗତି ଅବାରିତ । ସେ ସଦା ମୀନ ଭକ୍ଷଣ କରେ ଏବଂ ସବୁ ସ୍ଥାଣୁ (ଲଣ୍ଡାଗଛ)ର ମୁଣ୍ଡ ଉପରେ ରହେ । ଚନ୍ଦ୍ରର ସବୁଗୁଣ ଯାକ ବକଠାରେ ଟିକିଏ ଅଧିକ ଅଛି । ହେ ନରଶ୍ରେଷ୍ଠ (ରାଜନ୍‌) । ଗୁଣଗୁଡ଼ିକ (ଉଚିତ)ସ୍ଥାନରେ ମାନ୍ୟରେ ମାନ୍ୟ ହୁଅନ୍ତି ; (ଉଚିତ) ସ୍ଥାନରୁ ରହିତ ହେଲେ ମାନ୍ୟ ହୁଅନ୍ତି ନାହିଁ । ଚନ୍ଦ୍ରର ଦୁଇଟି ପକ୍ଷରୁ ଗୋଟିଏ ଧଳା , ଅନ୍ୟଟି କଳା ; ସେ କେବଳ ଆକାଶରେ ଗତି କରେ । ସେ ଥରେ ମାତ୍ର ମୀନ (ରାଶି) କୁ ଭୋଗ କରେ ଏବଂ କେବଳ ଗୋଟିଏ ସ୍ଥାଣୁ (ମହାଦେବ)ଙ୍କ ମୁଣ୍ଡରେ ଥାଏ ।

 

ରାଧାଙ୍କ ଦେହରେ ତିନିଋତୁ ବର୍ଣ୍ଣନା

 

ପ୍ରଭାତ, ବସନ୍ତ, ନେତ୍ର ସ୍ପୃହା ପ୍ରାପ୍ତ

ସୁକର ବେଷ୍ଟନ ଆନନ୍ଦ ଦାୟକ

ପୁଷ୍ପ ସମୟରେ ଆବଦ୍ଧ ପାଶରେ

ହେବାର ହେବାର ମରଣ ପ୍ରାୟକ ।୧।

 

ଗିରିସମ ଜାତ, ନାକ ସୁଖଦତ୍ତ

ପାଣି ଦାନ କଲେ ମଧ୍ୟ ଦୀନ ଚେକ

ପରବତ ପ୍ରୀତି ନ ବଳାଅ ମତି

ଶିଖୀ ତ ଅଛଇ ପ୍ରମାଦୋତ୍ପାଦକ ।୨।

 

ଦୋଷୋଦୟ ହେଲେ ବରଷାର ଜଳେ,

ଦର ଦୁରକର ଜନ୍ମାଇ ମାଦକ ।

ରସନା ସୁଖରେ ପୟୋଧର କରେ

ଆଶା‌ରେ ଜୀବନ ଦାନ ହେବ ଠିକ।୩।

 

ଅଧରୁ ଅମୃତ ଦାନକର ଘନ

ରସନା ସୁଖରେ ଆଶାର ଉଦ୍ରେକ

 

ଦୋଷୋଦୟ କାଳ, ବରଷାର ଭାଳ

ସୁମନାର ଦାନ କରଇ ମାଦକ  ।୪।

 

ଶ୍ରୀ କରଣ କୁଳ କଳଙ୍କ ଗୋକୁଳ

ଆନନ୍ଦ ଭାବନା କରଇ ଦଣ୍ଡକ

ଦଣ୍ଡଧର ଦଣ୍ଡଖଣ୍ଡକ ନିମନ୍ତେ

ଦଣ୍ଡକ ନିବାସୀ ଜାନକୀ-ନାୟକ ।୫।

 

୧. ଦୋଷ + ଉଦୟ = ଦୋଷୋଦୟ, ୨. ଦରଦୁର ବେଙ୍ଗ ।

ପଦାର୍ଥ – କୃଷ୍ଣ ରାଧାଙ୍କୁ ପ୍ରଭାତରେ କହୁଛନ୍ତି- ମୋର ନେତ୍ର ସ୍ପୃହା ଜାତ କରୁଅଛି । ସୁକରେ ଉତ୍ତମ ହସ୍ତରେ ଅଥବା ସହଜରେ ମୋତେ ତୁମେ ବେଷ୍ଟନ କଲେ ବଡ଼ ଆନନ୍ଦଦାୟକ ହୁଅନ୍ତା । ରାଧା କହିଲେ- ପୁଷ୍ପ ସମୟରେ ଅର୍ଥାତ୍ ପୁଷ୍ପବତୀ ହୋଇଥିବା ସମୟରେ ପାଶରେ ଆବଦ୍ଧ କରିବା ମରଣ ସହିତ ସମାନ । ଋତୁ ପକ୍ଷରେ ବସନ୍ତ ଋତୁ ଅତ୍ୟନ୍ତ ଆନନ୍ଦଦାୟକ । ଦିନ ମଧ୍ୟରେ ସକାଳ ଠିକ୍ ସେହିପରି ଆନନ୍ଦଦାୟକ । ଶୁଆମାନେ ବେଢ଼ିକରି ବସି ଆନନ୍ଦ ଦିଅନ୍ତି । ପୁଷ୍ପ ସମୟରେ ଅର୍ଥାତ୍ ବସନ୍ତ ସମୟରେ ନାୟକ ଫାଶରେ ଆବଦ୍ଧ ହେବାପରି ସ୍ୱଚ୍ଛନ୍ଦରେ ବିହାର କରି ନ ପାରିଲେ ତାକୁ ତାହା ମରଣ ପ୍ରାୟ । କୃଷ୍ଣ କହିଲେ, ତୁମର କୁଚରେ ହାତ ଦେଲେ ମଧ୍ୟ ଦୀନ ଯେ ଗରିବ ତାର ଟେକ ରହିବ । ରାଧା କହିଲେ, କୃଷ୍ଣ ଏ ପରବତ ପ୍ରୀତି କରୁଅଛ । ପରସହ ପ୍ରୀତି କଲେ ପ୍ରମାଦ ଜାତ ହୁଏ । ଶିଖୀ ଅର୍ଥ ଅଗ୍ନି ପର୍ବତରେ ଲାଗିଥିବାବେଳେ ପର୍ବତ ଜଳିଲେ ପ୍ରମାଦ ଜାତ ହୁଏ । କୃଷ୍ଣ ରାଧାଙ୍କୁ କହୁଛନ୍ତି, ଦୋଷର ଉଦୟ ହେଲେ ଅର୍ଥାତ୍ ପରପ୍ରୀତିରୂପକ ଦୋଷ ହେଲେ ବରଷାର ଜଳେ – ବରଶ୍ରେଷ୍ଠ ଜଳରେ ଧରିବାର ସୁଖରେ ରସ ନାହିଁ । ଏପରି ଆଶାରେ ରହିଲେ ଜୀବନର ଦାନ ବା ନାଶ ହୁଏ । ଦିନ ଅର୍ଥରେ ଦୋଷରେ ବା ପ୍ରଦୋଷରେ ବରଷାର ଜଳ ଅର୍ଥ କାକର ପଡ଼ିବା ସମୟରେ ଦରଦରୁଙ୍କର ଅର୍ଥାତ ବେଙ୍ଗଙ୍କର ମାଦକ ବା ଉଲ୍ଲାସ ହୁଏ । ରସନାର ସୁଖ ଅର୍ଥାତ ବେଙ୍ଗଙ୍କର ମାଦକ ବା ଉଲ୍ଲାସ ହୁଏ । ରସନାର ସୁଖ ଅର୍ଥାତ ଖାଇବାର ସୁଖ ହୁଏ । ରସ ନାଶୁ – ରସ ଅର୍ଥ ଜଳ । ନାଶୁ ନାଶକରି । ଖରେ - ଚଞ୍ଚଳ । ଗ୍ରୀଷ୍ମ ଋତୁ ଚଞ୍ଚଳ ପାଣିକୁ ଶୁଖାଇ ଦେବାରୁ ପୟୋଧର (ମେଘ) ଆଶାରେ (ଦିଗମାନଙ୍କରେ) ଜଳଦାନ କରେ ।

 

ଘନ - ଅର୍ଥାତ – ନିରନ୍ତର । ଅଧରୁ ଅର୍ଥାତ୍ ଅଧରାମୃତ ଦାନରେ । ରସନା – ଜିହ୍ୱା । ସୁଖପାଇଁ ଆଶାର ଉଦ୍ରେକ ହେବ । ରାଧା କୃଷ୍ଣଙ୍କୁ କହୁଛନ୍ତି – ବରଷାର ଅର୍ଥାତ୍ ହେ ବରଶ୍ରେଷ୍ଠ । ଭାଳ – ତୁମ୍ଭେ ଚିନ୍ତାକର । ପୁରୁଷର ଦୋଷ – ଉଦୟ ହେଲେ ସ୍ତ୍ରୀମାନଙ୍କର ମାଦକ ବା ଆନନ୍ଦର ଦାନ ବା ଛେଦନ ହୁଏ । ଋତୁ ଅର୍ଥରେ – ଚଞ୍ଚଳ ପୃଥିବୀରୁ ରସ ବା ଜଳର ନାଶ ହେଲେ ଘନ ଯେ ମେଘ ଆଶାରେ କି ଦିଗମାନଙ୍କରେ ଉଦିତ ହୋଇ ଅଧରେ ବା ଅଧୋଭବନରେ ଅମୃତ (ଜଳ) ଦାନ କରେ । ଦିବସକୁ ରାତି ଆସିବା ସମୟକୁ ବର୍ଷାକାଳଭାବ। ବର୍ଷାକାଳ ମାଳତୀ, ମଲ୍ଲୀ ପ୍ରଭୁତି ନାନାପ୍ରକାର ଫୁଲର ମାଦକତା ଦାନ କରେ ।

 

ଚାରିଜାତି ପ୍ରଶ୍ନୋତ୍ତର

(ଘୋଡ଼ାନାଚ ଗୀତ କ୍ରମରେ)

 

ସ୍ତ୍ରୀ: ଉଚ୍ଚ ଚାରିଜାତି କହ ରେ ନାଗର ଉଚ୍ଚ ଚାରିଜାତି କହ

ଉଚ୍ଚ ଚାରିଜାତି କହି ନପାରିଲେ

କଳାକାହ୍ନୁ କାଳିଆ ରେ, ପାରି ଆଣି ଦେବୁ ରହ ।୧।

 

ପୁ: ଉଚ୍ଚ ଛତି ସୂର୍ଯ୍ୟ ଉଚ୍ଚଟି ମହେନ୍ଦ୍ର ଉଚ୍ଚ ଅଟେ ଐରାବତ

ଆଉ ଉଚ୍ଚ ଏକ ବତାଇ ଦେବି ମୁଁ

କେଳିବୋଉ କୋକିଳା ଲୋ, ଉଚ୍ଚ ତୋ ଛାତିର କୁଚ ।୨।

 

ସ୍ତ୍ରୀ: ଉଚ୍ଚ ଚାରିଜାତି କହିଲୁ ନାଗର ସରୁ ଚାରିଜାତି କହ

ସରୁ ଚାରିଜାତି କହି ନ ପାରିଲେ

କଳାକାହ୍ନୁ କାଳିଆ ରେ, ଘର ଓଳାଇବୁ ରହ ।୩।

 

ପୁ: ସରୁଟି ସିଲକ ସରୁବେକ ଶଙ୍ଖି ସରୁ ଅଟଇ ତୋ ଦେହ

ଆଉ ଏକସରୁ ବତାଇ ଦେବି ମୁଁ

କେଳିବୋଉ କୋକିଳା ଲୋ, ସରୁ ତୋ ମୁଖର ସ୍ନେହ ।୪।

 

ସ୍ତ୍ରୀ: ସରୁ ଚାରିଜାତି କହିଲୁ ନାଗର କଳା ଚାରିଜାତି କହ

କଳା ଚାରିଜାତି କହି ନ ପାରିଲେ

କଳାକାହ୍ନୁ କାଳିଆ ରେ ପୁଅକୁ ଧରିବୁ ରହ ।୫।

 

ପୁ:  କାଉ କୋଇଲି ଏ ଦୁହେଁ ତ କଳାଲୋ କଳା ଯମୁନାର ପାଣି

ଆଉ ଏକ କଳା ବତାଇ ଦେବି ମୁଁ

କେଳିବୋଉ କୋକିଳା ଲୋ, କଳା ତୋ ମଥାର ବେଣୀ ।୬।

 

ସ୍ତ୍ରୀ: କଳା ଚାରିଜାତି କହିଲୁ ନାଗର ଧଳା ଚାରିଜାତି କହ

ଧଳା ଚାରିଜାତି କହି ନ ପାରିଲେ

କଳାକାହ୍ନୁ କାଳିଆ ରେ, ବାସନ ମାଜିବୁ ରହ ।୭।

 

ପୁ: ବଗବଗୁଲି ଏ ଦୁହେଁ ତ ଧଳା ଲୋ ଧଳା ଅଟେ ରାଜହଂସ

ଆଉ ଏକ ଧଳା ବତାଇ ଦେବି ମୁଁ

କେଳିବୋଉ କୋକିଳା ଲୋ, ଧଳା ତୋ ବାବୁ ଉଆସ ।୮।

 

ସ୍ତ୍ରୀ: ଧଳା ଚାରିଜାତି କହିଲୁ ନାଗର ନାଲି ଚାରିଜାତି କହ

ନାଲି ଚାରିଜାତି କହି ନ ପାରିଲେ

କଳାକାହ୍ନୁ କାଳିଆ ରେ, ଗାଇ ଜଗିଯିବୁ ରହ ।୯।

 

ପୁ:  ରଙ୍ଗ ରଙ୍ଗୁଣି ଏ ଦୁହେଁ ତ ନାଲି ଲୋ ନାଲି ଅଟଇ ମନ୍ଦାର

ଆଉ ଏକ ନାଲି ବତାଇ ଦେବି ମୁଁ

କେଳିବୋଉ କୋକିଳା ଲୋ, ନାଲି ତୋ ଜବା ଅଧର ।୧୦।

 

ସ୍ତ୍ରୀ: ଯାହା ପଚାରିଲି କହିଲୁ ନାଗର ମୁଁ କି ଦେବି ଉପହାର

ପ୍ରୀତିଦାନ ଦେଇ ରଖ ତ ଏଥର

ନାଗର ରେ, ଗୋକୁଳାନନ୍ଦ ଜୁହାର ।୧୧।

 

ସରସୀ ଓ ସୁନ୍ଦର

 

ସରସ ସରସୀ ଏ ଶରୀର ରସିକାର

ରସିକ ସଂସାର ସାର ରସ ସୁଧୀ ନର । (ଘୋଷା)

 

ସୌନ୍ଦର୍ଯ୍ୟ ଲୀଳାକମଳ ବାହୁ ମୃଣାଳଯୁଗଳ

ରୋମାବଳୀ କଣ୍ଟକପ୍ରକାର,

ଲଳନାର ଲପନ ସୁରଭି କମଳ

ହାସ କୁମୁଦପ୍ରକାଶଈ କ୍ଷଣ ନୀଳେନ୍ଦୀବର ।୧।

 

ପୁନଶ୍ଚ ମାନସ ମନ ଲୋଚନ ମୀନସମାନ

ଗଣ୍ଡ ଯୁଗ ମକରୀ ମକର,

ସ୍ତନଯୁଗ ଚକ୍ରବାକ ଦ୍ୱିଜ ପ୍ରକାର

ଗତିରେ ହଂସଲକ୍ଷଣ ଲକ୍ଷିତ ହୋଇଛି ୟାର ।୨।

 

ନିତମ୍ବ କଚ୍ଛପ ତୁଲ୍ୟ ରୁଚିର କେଶଶୈବାଳ

ବେଣୀ ଫଣୀ ବାଣୀ ମୋ ହୃଦର

ଦଂଶିବ କି ଯୁବାକୁଳ କରି ଫୁତ୍‌କାର

ମନକୁ ମାନୁଛି ଜାନୁବେନି କି ତୁଠ ପଥର ।୩।

 

ନାଭିସ୍ଥଳ ଦ୍ୱୀପ ଦାଣ୍ଡି ବକ୍ଷତରଣୀକୁ ମଣ୍ଡି

ମଣ୍ଡିତ ହୋଇଛି ଏ ଯୋଷାର,

ତାପରେ ଚାପ ଆତପ ଚାପ ନିସ୍ତାର

ଅବଗାହିବାକୁ ମନ ଦୀନ ଗୋକୁଳାନନ୍ଦର ।୪।

 

ପାଦଟୀକା:

ସରସ – ଅତି ଉତ୍କୃଷ୍ଟ, ସରସୀ – ସରୋବର (ନାରୀର ଦେହରୂପକୁ ସରୋବର)

ରସ – ଜଳ, ରସ – ହର୍ଷ, ରସ – ଶୃଙ୍ଗାର, ରସିକ – ଗ୍ରାହକ, ରସଗ୍ରାହୀ ।

କୋପନା – ସ୍ତ୍ରୀ । ଲପନ – ମୁଖ, ଈକ୍ଷଣ – ନେତ୍ର ।

 

ଉକ୍ତ କବିତାଟି କାଳିଦାସଙ୍କ ଶ୍ଳୋକର ଛାୟାରେ ରଚିତ ହୋଇଛି ।

‘‘ବାହୂ ଦ୍ୱୌଚ ମୃଣାଳମାସ୍ୟକ ମଳଂ ଲାବଣ୍ୟଲୀଳାଜଳଂ

ଶ୍ରୋଣୀ ତୀର୍ଥଶିଳା ଚ ନେତ୍ରଶଫରଂ ଧମ୍ମିଲ୍ଲ ଶୈବାଳକମ୍‌ ।

କାନ୍ତାୟାଃ ସ୍ତନ – ଚକ୍ରବାକ – ଯୁଗଳଂ କନ୍ଦର୍ପବାଣା ନଳୈ

ର୍ଦଗ୍ଧାନାମବଗାହନାୟ ବିଧିନା ରମ୍ୟଂସରୋ ନିର୍ମିତମ୍‌ ।।’’

 

ଦତ୍ତ ଚ୍ୟୁତାକ୍ଷର

 

ସ୍ପଷ୍ଟ ଅଟଇ ଦତ୍ତଚ୍ୟୁତ ହେ କଷ୍ଟଗୀତ

ଅଷ୍ଟନୃପ ଯେ ହେବ ଅଷ୍ଟରାଣୀ, ଅଷ୍ଟପୁରାଣ ବର୍ଣ୍ଣିତ ।(ପଦ)

 

ଅମର ଯେ ହେବ ଅରି ପାମର ସଙ୍ଗରେ ସରି

ଶେଷାଶ୍ରୟ ଯାର ଅବିରତ;

ପିତା ସ୍ନେହୀ ଯେଣୁ ସେହି ପ୍ରଫୁଲ୍ଲ ଚିତ୍ତ

ଈନଭାବେ ଜନାନନେ ଯାର ଗୁଣ ପ୍ରକୀର୍ତ୍ତିତ ।୧।

 

ମୃଗରେ ଯେ ପରୀକ୍ଷିତ ତାଙ୍କ ଶକ୍ତି ଅଲକ୍ଷିତ

ବଳିରେ ବନ୍ଦିତ ସେ ଜଗତ

ବୀର ହେତୁ ବରେଣ୍ୟ ନରରେ ପୂଜିତ

ଅଜରେ କରନା ବାଦ, ନାଦ ଶେଷରେ ଅହିତ ।୨।

 

ବାଦରେ ରଚିଲେ ରଣ ଅବଶ୍ୟ ହେବ ମରଣ

ଭବରେ ଯା ମହିମା ବିଖ୍ୟାତ;

ଫଳରେ ଜାଣିଛ ତାଙ୍କ ଗୁଣ ଯେମନ୍ତ

କରଣ ଗୋକୁଳାନନ୍ଦ ପଟ୍ଟନାୟକ ରଚିତ ।୩।

 

ପାଦଟୀକା:

 

ଅଷ୍ଟନୃପ – ମୁରାସୁର, ହିରଣ୍ୟାକ୍ଷ, ଜଳନ୍ଧର, କୀର୍ତ୍ତବୀର୍ଯ୍ୟ, ରାବଣ, କଂସ, ଦୁର୍ଯ୍ୟୋଧନ, କାଜି ।

 

ଅଷ୍ଟରାଣୀ – ମଦନାବତୀ, ଚନ୍ଦ୍ରବାଳି, ବୃନ୍ଦାବତୀ, ପ୍ରିୟବତୀ, ମନ୍ଦୋଦରୀ, ପଦ୍ମାବତୀ, ଭାନୁମତୀ, ହଂସୀ ।

 

ଅଷ୍ଟ ପୁରାଣ – ନୃସିଂହପୁରାଣ, ବିଷ୍ଣୁ କେଶରୀ ପୁରାଣ, ପଦ୍ମପୁରାଣ, ଲିଙ୍ଗପୁରାଣ, ରାମାୟଣ, ଭାଗବତ, ମହାଭାରତ, ଚୈତନ୍ୟଚରିତାମୃତ । ମଦନାବତୀ ମୁରାସୁରକୁ ନୃସିଂହ ପୁରାଣ, ଚନ୍ଦ୍ରାବଳୀର ହିଣ୍ୟାକ୍ଷକୁ ବିଷ୍ଣୁକେଶରୀ ପୁରାଣ, ବୃନ୍ଦାବତୀ ଜଳନ୍ଧରକୁ ପଦ୍ମ ପୁରାଣ, ପ୍ରିୟବତ କୀର୍ତ୍ତବୀର୍ଯ୍ୟକୁ ଲିଙ୍ଗ ପୁରାଣ, ମନ୍ଦୋଦରୀ ରାବଣକୁ ରାମାୟଣ, ପଦ୍ମାବତୀ କଂସକୁ ଭାଗବତ, ଭାନୁମତୀ ଦୁର୍ଯ୍ୟୋଧନକୁ ମହାଭାରତ ଏବଂ ହଂସୀ କାଜୀକୁ ଚୈତନ୍ୟଚରିତାମୃତରେ ବର୍ଣ୍ଣିତା । ସୂଚନା: କବିତାଟିରେ ‘ଘୋଷା’ ପଦ ବ୍ୟତୀତ ତିନୋଟି ପଦ ଅଛି । ତିନୋଟି ପଦରେ ଶେଷ ଧାଡ଼ି ବା ଭଣିତ ପଦକୁ ବାଦ ଦେଲେ ଅବଶିଷ୍ଟ ୧୧ଟି ଧାଡ଼ି ରହିଛି । ଏହି ଧାଡ଼ିଗୁଡ଼ିକର ଅକ୍ଷରକୁ ପରିବର୍ତ୍ତନ ନକରି କବିତାର ଅର୍ଥ କଲେ ୧ମ ପୁରାଣର ଅର୍ଥ ବୁଝାଇବ । ତା ପରବର୍ତ୍ତୀ ପୁରାଣ ଗୁଡ଼ିକ ପାଇଁ ଯଥାକ୍ରମେ ପ୍ରତି ଧାଡ଼ିର ପ୍ରଥମ ଅକ୍ଷରକୁ ପରିବର୍ତ୍ତନ କରି ନୂତନ ଅକ୍ଷର ସଂଯୋଗ କଲେ ଯଥାକ୍ରମେ ପରବର୍ତ୍ତୀ ପୁରାଣ ଗୁଡ଼ିକର ଅର୍ଥକୁ ବୁଝାଇବ ।

 

ଦଶବତାର

||୧||

ଜ୍ଞାନବନ୍ତ ଏ ରସସାର ହେ ପାନକର

ବୃଷଭାନୁସୁତା ପାଶ ଭାଷନ୍ତି ଶ୍ରୀବଂଶୀଧର (ପଦ)

 

କଶ ମୋର କ୍ଳେଶଲେଶ, ହେ ସଖୀ ତୋ ଅଙ୍ଗ ଦେଶ

ମିଶ୍ରଣ ମୋ ଦଶ ଅବତାର;

ଚପଳେକ୍ଷଣା କ୍ଷଣା ତ ନୁହେଁ ଅନ୍ତର;

ଅନ୍ତେରେ ଖାତର ନାହିଁ ମଣୁ ଚିତ୍ତର ।୧।

 

ରକ୍ଷଣେ ମୀନ ଲକ୍ଷଣ, ଈକ୍ଷଣ ତୋ ବିଚକ୍ଷଣ

କ୍ଷଣଭାଙ୍ଗୀ କର ଅଙ୍ଗୀକାର

ବନ୍ଧୁ କାମ ସିନ୍ଧୁକରୁ ବିନାଶ ଦର

ନିଗମେ ବିଧିରେ ନିଧି ଦେଇ ସିଦ୍ଧି ବୃଦ୍ଧି କର ।୨।

 

ସ୍ୱଚ୍ଛ ଏ କଚ୍ଛପ ତୁଚ୍ଛ, କୁଚକୁ ହେବ ନିକୁଛ

ଧରାଧର ଧୁରନ୍ଧର ବାର,

ମୂକର ଶୂକର ହେବ ମୁଁ କରେ ସାର

ରସାଳସା ଯୋଷା ଦଶ ନଖରେ ରସାରୁଚିର ।୩।

 

ନର କେ ସରି କେଶରୀ, କଟିଟି ଅଟେ କିଶୋରୀ

ଚତୁରୀ ଚତୁର୍ଥ ଅବତାର

ହିରଣ୍ୟଦାରଣ ରୂପ କି ମନୋହର

ହ୍ଳାଦିନୀ ଶକ୍ତି ପ୍ରହ୍ଳାଦ ଦାନ କରେ ବାସବର ।୪।

 

ମାନସୁମନା ମାନସେ, ଗମନ ବାମନ କି ସେ

ଦୈତ୍ୟଗୁରୁରେ, ଦଣ୍ଡ ଦେବାର

ସୁର କାମ ନାଶ ଫଳେ ବିଚାର କର

ସୁରତରଙ୍ଗିଣୀ ଜାତ ବଳି ବିମର୍ଦ୍ଦନ ସାର ।୫।

 

ସ୍ମରି ମାରି ଚାରିଚାରି, ପଦରେ ଦେଇଛି ସାରି

ବିଚାରି ଏ ପାଞ୍ଚ ଅବତାର

ଭକ୍ତବୃନ୍ଦ ହୃଦ କୁମୁଦ ଶଶଧର

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର ।୬।

 

ପାଦଟୀକା:

ଜ୍ଞାନବନ୍ତ – ହେ ପାଠକ ! ଏ କବିତା କେବଳ ଜ୍ଞାନୀ ପାଠକଙ୍କ ପାଇଁ; ସମସ୍ତଙ୍କ ପାଇଁ ନୁହେଁ (ଉପେନ୍ଦ୍ରଭଞ୍ଜ ଏ କଥାବରାବର କହିଛନ୍ତି) ବୃଷଭାନୁସୁତା – ରାଧା, ବଂଶୀଧର – ଶ୍ରୀକୃଷ୍ଣ, ଦଶ ଅବତାର – ବିଷ୍ଣୁ (କୃଷ୍ଣ)ଙ୍କର ମୀନ , କୂର୍ମ,ବରାହ ପ୍ରଭୃତି ଦଶ ଅବତାର ପ୍ରସିଦ୍ଧ ।କଶ – କଷି କରି ଦେଖ – ଗଭୀର ନିରୀକ୍ଷାକର ।କ୍ଳେଶଲେଶ – ମୁଁ କେତେ କ୍ଳେଶରେ ବା କଷ୍ଟରେ ଏହି କଥା କହୁଛି, ତାକୁ ତୁମେ ଅନ୍ତତଃ ଲେଶ ବା ଅଳ୍ପ ପରିମାଣରେବୁଝ । କୁଚକୁ – ସ୍ତନକୁ । ଧରାଧର – ପର୍ବତ (ଉଚ୍ଚକୁଚର ତୁଳନା ପର୍ବତ ସଙ୍ଗେ କରାଯାଏ, ପ୍ରାଚୀନ ସାହିତ୍ୟରେ )ବାର – ସମୂହ । ଯୋଷା – ସୁନ୍ଦରୀ । ଚତୁର୍ଥ ଅବତାର – ନୃସିଂହ ଅବତାର । ସିଂହର କଟୀ (ଅଣ୍ଟା ସରୁ) । ବାସବର– ହ୍ଳାଦିନୀ ଇନ୍ଦ୍ରର ଶକ୍ତି ବଳରେ ପ୍ରହ୍ଳାଦ ଇନ୍ଦ୍ରପଦ ପାଇଥିଲେ । ଦୈତ୍ୟଗୁରୁରେ – ଶୁକ୍ରାଚାର୍ଯ୍ୟଙ୍କୁ ପୁଣି ଦଇତ (ସ୍ୱାମୀ)ହିଁ ଗୁରୁ ଦଣ୍ଡ ଦେବା – ଦୈତ ବଳିକୁ ପାତାଳକୁ ଚାପି ଦେବା । ସୁରତରଙ୍ଗିଣୀ – ଗଙ୍ଗା । ବାମନ ଅବତାର ବେଳେଭଗୀରଥ ଗଙ୍ଗାଙ୍କୁ ପୃଥିବୀକୁ ଆଣିଥିଲା । ବିମର୍ଦ୍ଦନ – ମର୍ଦ୍ଦି ଦେବା – ଦବାଇ ଦେବା । କୁମୁଦ – କଇଁ । ଶଶଧର – ଚନ୍ଦ୍ର ।ଭକ୍ତମାନଙ୍କର ହୃଦୟରୂପକ କଇଁଫୁଲକୁ ଫୁଟାଇବା ପାଇଁ ଚନ୍ଦ୍ରସ୍ୱରୂପ ।

 

||୨||

 

ଭାର୍ଗବୀ ଭାର୍ଗବ ପଦ, ଈକାର ମାତ୍ର ପ୍ରଭେଦ

ଭା – ଗର୍ବତ ସର୍ବ ଗର୍ବହର

ମନକାମନା ପୂର୍ଣ୍ଣ ଏକ ବିଂଶବାର

ମ୍ଳାନ ତେଜ ଜନକର ଜାମାତା ପରାଭବର  ।୧।

 

ରାମଲକ୍ଷ୍ମଣ ମୁଖରେ, ରାମାରାମ ଆକାରରେ

ଦାସରେ ପୂଜିତ ଶ୍ରୀପୟର,

ନାକ ଶିରିଦାନ ନାଶ ଦୂଷଣ ଖର

ବିଭୀଷଣରେ ଶରଣ ପାଣିରେ ସ୍ଥିତି ଭୂଧର  ।୨।

 

ମୁଖେ ରେବତୀ – ରମଣ, ଉପମା ଅଟେ ପ୍ରମାଣ

କାମପାଳନାଁ ସଂସାର ସାର,

ରୋହିଣୀ କୁମୁଦ ସୁଖ ବିବୃଦ୍ଧି କର

କୃଷ୍ଣ କେଶବରେ ସଙ୍ଗ ସୀରପାଣି ବରାବର  ।୩।

 

ବୁଦ୍ଧିମତୀ ହୃଦେ ବାର, ମୌନରୁ ବୌଦ୍ଧ ସଂଚାର

ସଦୟ ହୃଦ ପଶୁଘାତର ;

 

କଳକଳ୍‌କିରେ କଳି ଶେଷରେ ସାର

ମେଳଛ ଅପୂରୁବରେ ପତିତ ହୋଇବ ଶିର  ।୪।

 

ତୁଳସୀଭକ୍ତ ସମସ୍ତ, ତୁଳସୀ ଜଳ ସଂଯୁକ୍ତ

ଦ୍ରବ୍ୟମତ ଏ ଗୀତ ପ୍ରଚାର

ଦଶ ଶେଷ ଦ୍ୱାବିଂଶ ବିଷୟ ଅପର

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର ।୫।

 

ଭାର୍ଗବ – ପରଶୁରାମ (ଷଷ୍ଠ ଅବତାର) । ଭା – ତେଜ (ମୁଁ ବଡ଼ ତେଜୀୟାନ) । କ୍ଷତ୍ରୟ ରାଜାମାନଙ୍କର ଏଭଳି ଯେଉଁ ଗର୍ବ ତାକୁ ଖର୍ବ କରିଛନ୍ତି, ପରଶୁରାମ ।

 

ଜନକଙ୍କ ଜାମାତା – ରାମଚନ୍ଦ୍ର ପରଶୁରାମଙ୍କ ଗର୍ବକୁ ରାମଚନ୍ଦ୍ର ଖର୍ବକରି ଦେଇଥିଲେ ।

ପରାଭବ – ତିରସ୍କା ।ଦାସ –କେଉଟ । ନାକଶିରୀଦାନ – ସୂର୍ପଣଖାର ନାକର

ସୌନ୍ଦର୍ଯ୍ୟ ଖଣ୍ଡନ (‘ଦୋ’ ଅବଖଣ୍ଡନେ) ।

 

ପାଦଟୀକା:

ଏ କବିତାରେ ଗୋଟିଏ ଅର୍ଥରେ ଶ୍ରୀଅଙ୍ଗରେ ଦଶ ଅବତାର ବର୍ଣ୍ଣିତ । ଅନ୍ୟ ଅର୍ଥରେ ଶ୍ରୀକୃଷ୍ଣଙ୍କର ରାଧାଙ୍କ ପ୍ରତି ପ୍ରାର୍ଥନା । ଏପରି ସଭଙ୍ଗ, ଅଭଙ୍ଗ, ଭଙ୍ଗାଭଙ୍ଗରେ ଦୁଇପ୍ରକାର ଶ୍ଳେଷ, ଶବ୍ଦାଳଂକାର, ସଂସ୍କୃତ, ପ୍ରାକୃତ ଓ ଢଗ ଢମାଳିର ଦୃଷ୍ଟାନ୍ତ କବିତାରେ ରହିଛି । କ୍ଷଣଭାଙ୍ଗି – ବିଦ୍ୟୁତ ଅଙ୍ଗି । କାମ ସିନ୍ଧୁକରୁ – କନ୍ଦର୍ପରୂପ ସିନ୍ଧୁକଭିତରୁ । ନିଗମ – ନିକାଞ୍ଚନ । ଅନ୍ୟ ଅର୍ଥରେ ନିଗମ – ବେଦ । ଏହାକୁ ସିନ୍ଧୁଜଳରୁ ରକ୍ଷା କରିଥିଲେ । ‘ବିଦଗ୍ଧ ମାଧବ’ରେ କୁଚକୁ କମଠ ସଂଗେ ତୁଳନା କରାଯାଇଛି । ଧରାଧର –ପର୍ବତ ସୁକର – ଉତ୍ତମ କର , ଶୂକର – ବରାହ । କେଶରୀ କଟି – ସିଂହକଟି, ନର କେଶରୀ – ନୃସିଂହ , ନରକେ ସରି –ତୁମ ସହିତ କେଉଁ ନର ସମାନ । ହ୍ଳାଦିନୀ ଶକ୍ତି – ଆନନ୍ଦଦାୟିକା ଶକ୍ତି, ଇନ୍ଦ୍ରସଂପଦ ରୂପିଣୀ । ଅନ୍ୟ ଅର୍ଥରେ ହ୍ଳାଦିନୀଶକ୍ତି – ରାଧା କୃଷ୍ଣଙ୍କର ପ୍ରଣକାରିଣୀସ୍ୱରୂପ ଶକ୍ତି । ଦୈତ୍ୟ ଗୁରୁ – ଶୁକ୍ର, ଦଇତଗୁରୁ – କାନ୍ତ, ସୁରକାମନା-ଦେବତାମାନଙ୍କର କାମନା,ଅନ୍ୟ ଅର୍ଥରେ ଶ୍ରେଷ୍ଠ କାମନା ବା କନ୍ଦର୍ପ । ସୁରତରଙ୍ଗିଣୀ ଜାତ ବଳିବିମର୍ଦ୍ଦନସାର – ଗଙ୍ଗାଜଳ ଦାନ କରି ବଳି ବିମର୍ଦ୍ଦିତ ହେଲା । ଏଠାରେ ସୁରତରଙ୍ଗିଣୀ ଜାତ ଅର୍ଥାତ୍‌ ଶୃଙ୍ଗାର କ୍ରୀଡ଼ାରୁ ଜାତ ବଳୁଆ କାମ ବିମର୍ଦ୍ଦିତ ହେବ । ଭାର୍ଗବ – ପର୍ଶୁରାମ , ଭାର୍ଗବୀ – ଲକ୍ଷ୍ମୀ ରାଧାରୂପିଣୀ । ଜନକର ଜାମାତା – ରାମଚନ୍ଦ୍ର । ସର୍ବ ଗର୍ବହର – ସମସ୍ତ ତେଜଗର୍ବର ଖର୍ବକାରୀ । ଜନକର ଜାମାତା – ଲୋକଙ୍କର ଯେ ମାତା । ଏକବିଂଶବାର – ଏକୋଇଶବାର କୃଷ୍ଣଙ୍କର କାମନାପୂର୍ଣ୍ଣ କରିବାପାଇଁ ନିବେଦନ ।

 

ରାମାରାମା ଆକାରରେ – ରାଧାଙ୍କ ଅର୍ଥରେ ରାମଲକ୍ଷ୍ମଣ ଅର୍ଥାତ୍‌ ମୃଗଚିହ୍ନଥିବା (ଚନ୍ଦ୍ରଙ୍କ) ସହ ମୁଖର ତୁଳନା । କୃଷ୍ଣଦାସ ରୂପରେ ତାଙ୍କର ପୟରପୂଜା କାମନା କରୁଛନ୍ତି । ସ୍ୱର୍ଗଶିରୀ ଦାନ କରିବା ପାଇଁ ଏବଂ କାମ ଦୋଷକୁ ଶୀଘ୍ର ନାଶ କରିବା ପାଇଁ କହୁଛନ୍ତି । (ଗୀତାରେ ଅଛି – ‘‘ଜହି ଶତ୍ରୁଂ’’ ମହାବାହୋ କାମରୂପଂ ଦୁରାସଦମ୍‌ ’’ ରେବତୀରମଣ – ବଳରାମ , ରେବତୀରମଣ – ଚନ୍ଦ୍ର, କାମପାଳ – ବଳଦେବ । କାମପାଳନା ସଂସାର ସାର – ସଂସାରରେ ସାର କାମକୁ ବା ରତିକ୍ରିୟାକୁ ପାଳନ କରିବା । ରୋହିଣୀ କୁମୁଦ ମୁଖ – ବଳଦେବଙ୍କ ଅର୍ଥରେ ରୋହିଣୀଙ୍କର ମୁଖ । ରାଧାଙ୍କ ଅର୍ଥରେ – ତାଙ୍କର ମୁଖଚନ୍ଦ୍ର କୃଷ୍ଣଙ୍କର ହୃଦକୁମୁଦକୁ ଆନନ୍ଦିତ କରିବା । ଶୀରପାଣି – ଲଙ୍ଗଳହସ୍ତ ଅର୍ଥାତ୍‌ ବଳରାମ । କୃଷ୍ଣ କେଶବଙ୍କର ସଙ୍ଗରେ ଥାନ୍ତି । ଶିର ପାଣି ଅନ୍ୟ ଅର୍ଥରେ – ଶ୍ରେଷ୍ଠ କେଶବରେ – କେଶ = ବାଳ । ବର – ‌ଶ୍ରେଷ୍ଠ । କୃଷ୍ଣ କଳାରଙ୍ଗ, କୃଷ୍ଣ – ଶ୍ରୀକୃଷ୍ଣ । ଅର୍ଥାତ୍‌ ରାଧାଙ୍କର କୃଷ୍ଣବର୍ଣ୍ଣ କେଶରେ ଶ୍ରୀକୃଷ୍ଣ ରହିଛନ୍ତି । ଅବତାର ଅର୍ଥରେ – ବୌଦ୍ଧ ଅବତାର ମୌନ ରହିବାର ସୂଚନା ଦିଏ । ପଶୁଘାତ ବିରୁଦ୍ଧରେ ସଦୟହୃଦୟ ରାଧାଙ୍କ ଅର୍ଥରେ ସେ ମୌନହୋଇ ବସିଛନ୍ତି । କୃଷ୍ଣ ଷଣ୍ଢାସୁର ବଧ କରିଥିବା ଯୋଗୁଁ ପଶୁଘାତୀ । ତାଙ୍କ ପ୍ରତି ସଦୟହୃଦୟ ହେବା ପାଇଁ ନିବେଦନ କରାଯାଇଅଛି । ଅବତାର ଅର୍ଥରେ – କଳିଶେଷରେ, କଳ୍‌କି ଅବତାର ହେଲେ ମ୍ଳେଚ୍ଛଙ୍କର ସଂହାର ହେବ ।

 

ରାଧାଙ୍କ ଅର୍ଥରେ କଳଙ୍କିନୀ ବୋଲି ଅପବାଦ ଅଛି । ତାହା କେତେଦୂର ଠିକ୍‌ ତାହା କଳନା କର ।

 

ବଳରାମ ଓ ଚନ୍ଦ୍ର

 

ଦ୍ୱିବିଧ ଶ୍ଳେଷ ଏ ବାର ଦରବାରେ ଧୀରନର

ଧବଳ ପକ୍ଷେ ପ୍ରବଳ ଅର୍ଥ ଏ କେବଳ ସାର  ।୧।

 

ଗୋପରେ ବିରାଜମାନ ମାର ତାପ ଦାନ କର

ଅରଜୁନ କର ପରା ଭବରେ ହରଷତର ।୨।

 

ରେବତୀରେ ସଦାଳାପ ଅବିଚ୍ଛିନ୍ନ କୃଷ୍ଣସାର

ହରିତ ଅମ୍ବର ଧାରୀ ଅନୁରାଗୀ ତମହର  ।୩।

 

ଅନନ୍ତାଶ୍ରିତ ଆପଣ ବଳଦେବ କରେ ସାର

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର ।୪।

 

ପାଦଟୀକା: ଏହା ଏକ ଦ୍ୱି-ସଂଧାନ କବିତା । ଏକତ୍ର ବଳରାମ ଓ ଚନ୍ଦ୍ର ବର୍ଣ୍ଣିତ ।

 

ବଳରାମଙ୍କ ଅର୍ଥରେ :

ଗୋପରେ – ଗୋପପୁରରେ । ମାର ତାପ ଅର୍ଥାତ୍‌ ମା’ଙ୍କ ଦୁଃଖ ।ଅରଜନକର ପରାଭବ – ଅର୍ଜୁନଙ୍କଠାରୁ ପରାଭବ । ରେବତୀ – ବଳରାମଙ୍କ ସ୍ତ୍ରୀ ।କୃଷ୍ଣସାର – କୃଷ୍ଣଙ୍କର ସଦା ସଙ୍ଗୀ । ହରିତ-ଅମ୍ବର-ନୀଳାମ୍ବର ।ତମହର – ପାପନାଶନାକାରୀ । ଅନନ୍ତ – ବଳଦେବଙ୍କ ଅନ୍ୟନାମ ।

 

ଚନ୍ଦ୍ରଙ୍କ ଅର୍ଥରେ:

ଗୋପରେ – ଆକାଶରେ ।ମାରତାପ – କନ୍ଦର୍ପର ଦହନ । ଅର୍ଜୁନକର – ଧବଳ କର ବା କିରଣ । ରେବତୀ – ଏକ ନକ୍ଷତ୍ରର ନାମ । କୃଷ୍ଣସାର – ଚିତ୍ରମୃଗ । ହରିତଅମ୍ବର – ନୀଳାକାଶ । ତମହର – ଅନ୍ଧକାର ହରଣକାରୀ । ଅନନ୍ତ – ଆକାଶ ।

 

କାଳର ଆତ୍ମପ୍ରଶଂସା

 

ମୟୂରର ନୃତ୍ୟ ଦେଖି କାକ ବୋଲେ

ମୁଁହି ନାଟ କରିବି ।

ସାପଖିଆଟାକୁ ଅମାପ ପ୍ରଶଂସା

କରନ୍ତି ତା ଦର୍ପ ଚୂରିବ ।୧।

 

ଖୋଜି ଖୋଜି ଆଣିବି ପୁଚ୍ଛ

ଖଞ୍ଜି ଗୁଞ୍ଜି ଦେବି ମୋ ପୁଚ୍ଛ

ଜନକ ଜନ ନୟନ ମୁଁ ରଞ୍ଜିବି

ଗଞ୍ଜିବି ତାକୁ କୌଶଳ କରିବି ।୨।

 

ପୁରୀଷ ଯେ କରେ ଭକ୍ଷଣ

ପୁରୀ ସକଳେ ପ୍ରଦକ୍ଷିଣ

ପୁରୀ ନିଳଗିରି ଈଶ ଶିରଭୂଷ

ନ ବିଚାରିଲା କେମନ୍ତ ଛୁଇଁବି  ।୩।

 

ଗୀତେ କହେ ଗୋକୁଳାନନ୍ଦ

ମନ୍ଦପଣ କରିଣ ମନ୍ଦ

ରବିନନ୍ଦନ ସଦନକୁ ଗମନ କଲା

ନିଧନ ହୋଇ ଗରବୀ  ।୪।

 

୧. ପୁରୀଷ – ବିଷ୍ଠା, ୨. ରବିନନ୍ଦନ – ଯମ ।

 

ଖଲିପତ୍ର ଓ ଚନ୍ଦ୍ର

 

ଖଲି କହେ ଆହେ ଚାନ୍ଦ

ଊଣା ବୋଲି ମୋହଠାରୁ ନ କାନ୍ଦ । ( ଘୋଷା )

 

‘ଖ ମଣ୍ଡୁଛ ସତ , ମୁ ମଣ୍ଡଇ ଖତ ,

ଊଣା କେ ଅଧିକା ହୃଦରେ ବଦ

ବିଶ୍ୱନନ୍ଦ – କର ମୁଁ ବି ଶ୍ୱାନଙ୍କର

ବିଶେଷରେ ଶ୍ୱାନ ହୋନ୍ତି ଆନନ୍ଦ ।୧।

 

ସୁଧାଂଶୁ ଜଡ଼ିତ ମୁଁ ତ ସେହି ମତ ,

ସୁଧା  ଭୁଞ୍ଜନ୍ତି ଦେଖ ନରବୃନ୍ଦ ।

ଖଡ଼ିକାରେ ଯୁକ୍ତ, ମୁଁ ତ ସେହି ମତ ,

ଖଡ଼ିକାରେ ପୂରିଛି ମୋ ସମ୍ପଦ ।୨।

 

କପର୍ଦୀ ଭୂଷଣ ଆଉ ଏକଗୁଣ ,

ତାହା ତ ତୁମ୍ଭର ନୁହଁଇ ମନ୍ଦ ।

କପର୍ଦ୍ଦି ବ୍ୟତୀତ ମୁଁ ନୁହେଁ ବିକ୍ରୀତ ;

କହଇ କରଣ ଗୋକୁଳାନନ୍ଦ  ।୩।

 

୧. ଖ – ଶୂନ୍ୟ , ଆକାଶ , ୨. ସୁଧା – ଦୁଗ୍ଧଯୁକ୍ତ ଖାଦ୍ୟ, ୩. ଖଡ଼ି – ଧବଳ ପ୍ରସ୍ତୁତ , ୪. କପର୍ଦ୍ଦୀଭୂଷଣ ଶିବଙ୍କମସ୍ତକର ଅଳଙ୍କାର ।

 

ରାଶି ଓ ଋତୁଚକ୍ରରେ ରମଣୀର ବର୍ଣ୍ଣନା

 

ମେଥୁ , ବୃଷ , ଈଶ , ମିନ ମୋହିନୀ , ବରଷାଳୟ ଏ ରମ୍ୟ ରାମାବର

କର କଟକର ଭୂଷଣ ରୁଚିର ଚିକୁର କର୍କଟ ମାସ ବାରିଧର । (ପଦ)

 

ସିଂହମଧ୍ୟା ମନ୍ୟା ତୁଳାକୁ ବିଛାର

ହସ ରସଠାରୁ ସରସ ବିଚାର,

ବଳାହକେ ବଳାରାତି ଧନୁଭଳି

ବାଳାର କେତକୀ ରେଖା ଅଳଂଙ୍କାର ।୧।

 

ଧନୁଭୂତ ଦନ୍ତ , କରକା ସଦୃଶ

ଚପଳାଙ୍ଗୀ ମକର କେତନ ଦରହର ,

ଦୂର୍ବାଦଳ ରୋମାଳୀ ଇନ୍ଦ୍ରଗୋପଭଳି

ଅଟଇ ତାଟଙ୍କଶୋଭୀ ପଟ୍ଟାମ୍ୱର  ।୨।

 

କୁମ୍ଭଜମୋହିନୀ , ସେ ମୀନନୟନୀ

ମହୀଲତା ମହିଳା ଶରୀରର ଶିର,

ଅନୁମାନ ସାନୁମାନ ପୟୋଧର

ବାସ ପୟୋଧର ଅଥବା ନିର୍ଝର  ।୩।

 

ନୀପ ସୁମୋପମ , ହେବ ଲୋମୋଦ୍ୱମ

ଜାତୀ ଯୂଥୀ ମାଳତୀର ମାଳ ତାର

ଡାହୁକ ମଣ୍ଡୂକ ଡାକ ସାକ୍ଷ୍ୟ ଲକ୍ଷ୍ୟ

ପ୍ରତ୍ୟକ୍ଷ ଝୁଣ୍ଟିଆ ବାଜେଣୀ ନୂପୁର  ।୪।

 

ଅତିରିକ୍ତ ହାସ୍ୟ , ବନ୍ୟା ସୌସଦୃଶ୍ୟ

ବିଟପ ଧୈର୍ଯ୍ୟ , ବିଟପୀ ଛାରଖାର,

ଚାତକ , ଯାଚକ , ଦଇତ ମାତ୍ରକ

ଆର୍ତ୍ତରେ ପ୍ରାର୍ଥନା କରେ ଅଭିସାର ।୫।

 

ବରହୀ ପ୍ରମୋଦ , ଚନ୍ଦ୍ରବିନ୍ଦୁ ଭେଦ

ଷଣ ସୁମନ କି ସୁବର୍ଣ୍ଣର ହାର

ଶୈଳୀ ଭୂତାଶନ କରେ ବିନାଶନ

ବିରହାନଳକୁ କରୁଅଛି ଦୂର ।୬।

 

ବସନ୍ତ ବସନା , ଗିରିଷମସ୍ତନା

କାମଶରଦର ନାଶେ ହେମନ୍ତର

ଶୀତଭାନୁମୁଖୀ ମାସ ଋତୁ ରଖି

ଅଛି ପ୍ରତୀକରେ ତାଷ ବରଷାର ।୭।

 

କବିତାର କ୍ଳେଶ , କବିତାରେ ଶେଷ

ଭାବିବ କୋବିଦ ସବିଧି ହୃଦର

ହରିଣୀ ବାରଣ ତାରଣ ଚରଣ

ସ୍ମରଣ କରଣ ଗୋକୁଳାନ୍ଦର ।୮।

 

ପାଦଟୀକା : ମା+ଈଶ – ମେଶ ଅର୍ଥାତ୍‌ ବିଷ୍ଣୁ । ବୃଷଈଶ – ଶିବ । ମେଷ , ବୃଷ , ମିଥୁନ ମୋହିନୀର ଅର୍ଥ –(ମିଥୁନ – ଯୁଗଳ , ଉଭୟ ) ଶିବ ଓ ବିଷ୍ଣୁ ଉଭୟଙ୍କୁ ଯେ ମୋହି ପାରେ । ବରଷାଳୟ ବର୍ଷାଋତୁର ସ୍ଥାନ । କରକଟକର – କର – ହସ୍ତ, କଟକ –ନିତମ୍ୱ ଭୂଷଣ – ବଳୟ , ଚିକୁର – କେଶ , କର୍କଟମାସର ମେଘପରି ସୁନ୍ଦରକୃଷ୍ଣବର୍ଣ୍ଣ , ସିଂହମଧ୍ୟା – ସିଂହକଟି । ଏକନ୍ୟାର ତୁଳାକୁ ବା ତୁଳନାକୁ ବି ପକ୍ଷୀ ଅର୍ଥାତ୍‌ ପିକ ଛାର ହେବ ।ହସ – ଶୃଙ୍ଗାର , ହର୍ଷ । ରସ – ଜଳ, ଅର୍ଥାତ୍‌ ବର୍ଷା ଋତୁର ଜଳଠାରୁ ମଧ୍ୟ ( ଶୃଙ୍ଗାର ରସ ଦେଇ ) ପ୍ରାଣକୁ ଅଧିକ ଶୀତଳ କରୁଛି ।ବଳାହକ – ମେଘ , ବଳାରାତି – ଇନ୍ଦ୍ର, ମେଘରେ ଇନ୍ଦ୍ରଧନୁପରି । ଏହାର କେଶରେ କେତକୀରେଖା ଅଳଙ୍କାରଇନ୍ଦ୍ରଧନୁପରି ଶୋଭାପାଉଛି । ଧନୁଭୂରୁ – ଭ୍ରୁଲତା ଧନୁପରି ; ଦନ୍ତ କରକା ସଦୃଶ ବା କୁଆପଥର ପରି । ଚପଳାଙ୍ଗ –ବିଦ୍ୟୁତ୍‌ ଅଙ୍ଗ । ମକରକେତନ ଦରହର – ମକରକେତନ – ମନ୍ଦର୍ପ । ଦରହର – ଭୟହାରକ ।ରୋମାଳୀ ଦୁର୍ବାଦଳ ରୋମାବଳୀ ଦୁର୍ବାଦଳଭଳି । ପଟ୍ଟାମ୍ୱର ଇନ୍ଦ୍ରଗୋପଭଳି ସାଧବବୋହୁ ପୋକପରି ରଙ୍ଗିନପଟ୍ଟବସ୍ତ୍ର । ଇନ୍ଦ୍ରଗୋପ – ସାଧବବୋହୁ ପୋକ ।କୁମ୍ଭଜ – ଅଗସ୍ତ୍ୟ । ମହୀଲତା – ଜିଆନାଡ଼ । ବର୍ଷାଋତୁରେ ଜିଆନାଡ଼ ଦେଖାଗଲା ପରି ଏହା ଶରୀରର ଶିରଜିଆନାଡ଼ପରି । ପୟୋଧର – ସ୍ତନ । ସାନୁମାନ – ପର୍ବତ । ଅର୍ଥାତ୍‌ କୁଚ ପର୍ବତ ପରି । ବାସ – ଲୁଗା । ପୟୋଧର–ମେଘ । ବର୍ଷାଋତୁରେ ପର୍ବତରେ ଥିବା ଝରଣାପରି ଦେହରେ ବାସ ବା ଶାଢ଼ୀ ଶୋଭାପାଏ । ନୀପ –କଦମ୍ୱ। ମୋଦ୍‍ଗମ – ପୁଲକିତ ତନୁକୁ କଦମ୍ୱ ସହତ ତୁଳନା କରାଯାଇଛି । ବର୍ଷାଋତୁରେ ଯାଈ, ମାଳତୀ ଫୁଲ ଫୁଟେ ।ଫୁଲମାଳ ତାର ବେକରେ ଶୋଭାପାଉଛି । ଡାହୁକ ଓ ମଣ୍ଡୂକର ଡାକପରି ସେ ପିନ୍ଧିଥିବା ଝୁଣ୍ଟିଆ ଓ ନୂପୁରର ବାଜେଣୀ ଶୁଭୁଛି ।ହାସ୍ୟବନ୍ୟାସଦୃଶ ନଈବଢ଼ିରେ ଯେପରି କୂଳରେ ଥିବା ଗଛମାନ ଉପୁଡ଼ିଯାଅନ୍ତି ସେହିପରି ନାରୀର ହାସ୍ୟରେବିଟପ ଅର୍ଥତ୍‌ ଲମ୍ପଟଙ୍କର ଧୈର୍ଯ୍ୟରୂପକ ବିଟପୀ ବା ବୃକ୍ଷ ଉପୁଡ଼ିପଡ଼େ । ଚାତକ ମେଘକୁ ପାଣି ମାଗିଲା ପରିନାୟିକାକୁ ତାର ଦଇବ (ସ୍ୱାମୀ) ଆର୍ତ୍ତରେ ଶୃଙ୍ଗାର ପ୍ରାର୍ଥନା କରେ ।ବରହୀ ଅର୍ଥାତ୍‌ ମୟୁର । ପ୍ରମୋଦ – ଆନନ୍ଦ । ମେଘଦର୍ଶନରେ ମୟୁର ଆନନ୍ଦ ଲାଭକରେ । ‘ବରହୀ’ରେ ଚନ୍ଦ୍ରବିନ୍ଦୁଦେଲେ ହୁଏ – ବରହୀଁ ଅର୍ଥାତ୍‌ ବର ଯେ ସ୍ୱାମୀ ହିଁ ଏହିପରି ପ୍ରମୋଦ ଲାଭ କରେ । ଷଣ – ଛଣପଟ ଫୁଲ ।ତାହା ନାୟିକାର ଦେହରେ ସୁବର୍ଣ୍ଣର ହାର ପରି ପୃଥିବୀରେ ଶୋଭାପାଏ । ବସନ୍ତ ବସନା – ବସନ୍ତ ବର୍ଣ୍ଣର ଶାଢ଼ୀ-ପିନ୍ଧିବା ସ୍ତ୍ରୀ । ସେ ହେମନ୍ତ (ସାହସ) ପରି କାମଶର ଭୟକୁ ବିନାଶ କରେ । ଶୀତଭାନୁମୁଖୀ – ଚନ୍ଦ୍ରମୁଖୀ । ବାରମାସ.ଓ ଛଅ ଋତୁକୁ ପ୍ରତୀକ ରୂପେ ସେ ଦେହରେ ରଖିଛନ୍ତି । ତୋଷେ ବରଷାର – ନିଜର ବର ଯେ , କି ସାର – ଶ୍ରେଷ୍ଠସେ ତାକୁ ତୋଷ କରେ । ପ୍ରତୀକ ବେହ । ହରିଣୀ ଏବଂ ବାରଣ – ହରିଣୀ ଓ ବାରଣ (ଗଜ)ର ତ୍ରାଣକର୍ତ୍ତା ବିଷ୍ଣୁଙ୍କୁକବି ସ୍ମରଣ କରିଛନ୍ତି ।ଏହି କବିତାର ବାର ରାଶିର ନାମ ଏବଂ ଛଅ ଋତୁର ନାମ ଏବଂ ଛଅ ଋତୁର ନାମ ଏପରି ୧୮-ଗୋଟି ଶବ୍ଦ ଏଭଳି ଚାତୁର୍ଯ୍ୟପୁର୍ଣ୍ଣ ଭାବରେ ବ୍ୟବହୃତ ହୋଇଅଛି ଯେ , ଶବ୍ଦଗୁଡ଼ିକ ନିଜର ମୌଳିକ ଅର୍ଥକୁ ନବୁଝାଇ ଗୌରବ ବା ସୌନ୍ଦର୍ଯ୍ୟ ଦ୍ୟୋତକ ଭାବରେ ପ୍ରତିଭାତ ହେଉଅଛନ୍ତି ।

 

ବ୍ୟଞ୍ଜନ ବର୍ଣ୍ଣ ନିୟମରେ ଜଗନ୍ନାଥ ବନ୍ଦନା

 

କର କରୁଣା ଚକ୍ରଧର ହେ ଖରପର

ଗରବ ଗଞ୍ଜନ ବାନା ଗରୁଡ଼ ବାହାନ ସାରା (ଘୋଷା)

 

ଘର ଶ୍ରୀ ନୀଳକନ୍ଦର ନରହରି ଦାମୋଦର

ଚରଣେ ପୂଜନ୍ତି ଚରାଚର

ଛାର ନର ଜଣାଉଛି ପଦ୍ମପୟର

ଜର ପରି ଚିନ୍ତା ମୋର ଘୋଟିଲାଣି କଳେବର ।୧।

 

ଝରପରି ଝରଝର ନିରନ୍ତର ନେତ୍ରୁ ନୀର

ଟେର ପାଉନାହିଁ ମୁଁ ତୁମ୍ଭର

ଠାରଠୁର ପଣ କିମ୍ପା ଦାସରେ କର

ଡରଇ ଯମଦଣ୍ଡକୁ ଖଣ୍ଡ ଶିଖଣ୍ଡଶେଖର  ।୨।

 

ଢେର କଷ୍ଟ ହେଲା ମୋର ଅରିଷ୍ଟ କରେ ପୟର

ତରଫ ଧରିଲେ ହେବି ସ୍ଥିର

ଥରଇ ଦାସ ଭୟରେ ଥରକୁ ଥର

ଦରଶନ ଦିଅ ବାରେ ହେ ସୁଦରର୍ଶନ କର ।୩।

 

ଧରଣୀ ମଧ୍ୟେ ମୁଁ ଛାର ନ ରଖିଲେ ବଂଶୀଧର

ପର କରି ଦେବେ ନାରଖାର

ଫରମାସ କର ମୋତେ କରୁଣାକର

ବରଜବନ୍ଧୁ ଭରସା ଦୀନ ଗୋକୁଳାନନ୍ଦର ।୪।

 

ଓଡ଼ିଶାର ସୁବିଖ୍ୟାତ ସଂଗୀତଲେଖକ ବନମାଳୀ ଦାସ ଗୋଟିଏ ଗୀତର ମାତ୍ର ‘‘ କଳାବତୀ ଖଞ୍ଜନାପକ୍ଷୀ ଗୁରୁନୀତିମ୍ୱନି ’’ ପଦରେ ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ବ୍ୟଞ୍ଜନବର୍ଣ୍ଣ ନିୟମରେ କୃଷ୍ଣଙ୍କର ବନ୍ଦନା କରିଛନ୍ତି,ମାତ୍ର ପଦରେଗୋଟିଏ ଚଉତିଶାର ନିୟମ ରକ୍ଷାକରି ପାରିଛନ୍ତି । ହୁଏତ ତହିଁର ପ୍ରେରଣା ଲାଭକରି ଗୋକୁଳାନନ୍ଦ ଏହି ନିୟମଯୁକ୍ତମାତ୍ର ଚାରିଗୋଟି ପଦରେ ଜଗନ୍ନାଥଙ୍କର ବନ୍ଦନା କରିଛନ୍ତି ।

 

ସଭା ଓ ସାଗର

 

ପାରାବରେ ଏ ଦରବାର ଧୀରେ ବାର

ଦ୍ୱିଜରାଜରେ ଶୋଭିତ ବୈଶ୍ୟ ସୁଦର୍ଶନ କର ।

ଛତିଶ ପାଟକେ ଶେଷ ମକର କୁଣ୍ଡଳ ବାସ

ଜାତବେଦ ଅମୃତବିସ୍ତାର

 

ବହିତ୍ର ଗମନ କରୁଅଛି ଯେ ବିଚାର

ରସେ ସେ ସମାନ ହେବ ଉଭୟେ ଏକପ୍ରକାର ।୧।

ଶ୍ରୀ ଯହିଁରେ ଉତପତି ନୀର ତରଙ୍ଗର ସ୍ଥିତି

ଗୋତ୍ର ମଧ୍ୟ ରହିଛି ଅପାର

 

ଦେଖିବାକୁ ଭୀମକାନ୍ତ ପ୍ରସନ୍ନ ବିଷଣ୍ଣ ସାର

ଉପୁଜୁଛି ବହୁ ଶଙ୍ଖ କଳ୍ପନା କଳ୍ପକ

ଏ ଉପମା ଉପମେୟ ସାର କରି ଅବିଧାନ କରିବାର

କରିଛି ଗୋକୁଳାନନ୍ଦ ଅଭିଧାନ କାରବାର ।୨।

 

୧. ଜାତଦେବ – ଅଗ୍ନି (ବାଡ଼ବାଗ୍ନି ), ୨. ଗୋତ୍ର – ପର୍ବତ, ୩. ଅବିଧାନ – ନ ବିଧାନ – ଯାହା ବିଧାନ ନୁହେଁ।

 

ଅବନା ଚୌପଦୀ

 

କର ଖର ଗର ଘର ନର ବର ବରଜର

ହର ପର ବର ଶର ମରମର କରତର ।୧।

 

ତରତର ଥର ଥର ଦରଦର ଧରଧର

କରଝର ଝରଜର ଡରମର ତର ତର ।୨।

 

ହରବର ହରପର ସରସର ଶରସର

ହରହର ଶରଶର ବରନର କରପର ।୩।

 

ଫରକର ତରକର ପରକର ଦରକର,

ବନା ଅସଂଯୁକ୍ତ ରାନ୍ତଯୁକ୍ତ ଗୋକୁଳାନନ୍ଦର ।୪।

୧.ନରବର – ରାଜା, ୨. ବରଜର – ବ୍ରଜପୁରର, ୩.ହରପର – କନ୍ଦର୍ପ ।

 

ଛଳୋକ୍ତି (ପ୍ରାନ୍ତାନୁପ୍ରାସ)

 

କଳାକହ୍ନାଇ ହେଲା ମୋର କଣ୍ଟାଟା

କଣ୍ଟ ଦେଇ ନଇଲା ତଣ୍ଟିକଟାଟା (ପଦ)

କେତେବେଳେ ଗୋଈଠାରୁ ଖାଏ କୁଟାଟା

କେବେ କେବେ ଦାନ୍ତେ ଧରାଇବ କୁଟାଟା ।୧।

 

କଟକଟ ହୁଏ ନିତି କେରେକେଟାଟା

ଖିଆଲ କରୁଥାଏ ନ ଛାଡ଼େ ଖୋଟାଟା

କ୍ଷୀରେ ଖାର ମିଶାଏ କ୍ଷଣେ ସେ ଖେଣ୍ଟାଟା

ଖଣ୍ଡପରି ବଚନ କେବେ ବା ଖଟାଟା ।୨।

 

ଗୋପଗୋଈ ତା ଯୋଗେ ପାଆନ୍ତି ଖୁଣ୍ଟାଟା

ଧେଇଆ ଚାଇଁଆରେ ଥାଏ ସେ ଖୀଟାଟା

ଖରାପ ଖଳ ହେଲା ଖଣ୍ଟାଟା

ଗୋରୁଗୋଠ ଜଗଇ ସେ ଗୋବର ଗୋଟାଟା ।୩।

 

ଘଟାଏ କୌତୁକ ସେ ଅଘଟ ଘଟାଟା

ଘେନି ଲଉଡ଼ି ବସଇ ନଦୀ ଘାଟାଟା

 

ଘରଣୀ ପାଣିକି ଗଲେ ଭା‌ଙ୍ଗେ ଘଟଟା

ଘଞ୍ଚାଳ କରଇ ଘନେ ମାଗେ ଘଟଟା ।୪।

 

କଳି ଲଗାଏ ସେ ପରକଥା ଘଣ୍ଟାଟା

ନଘେନଇ କଥା ସେ ବାଜୁର ଘଣ୍ଟାଟା

ଘୃଣା ନକରେ ଚୁଟି ଘୋଟାଟା

ଚୋରି କରେ ସେ ଲବଣୀ ସର ଚଟାଟା ।୫।

 

ଚାଟୁ କହି ବେଳେବେଳେ କରେ ଚିଟାଟା

ଚତୁର ଅଟେ ବଡ଼ ସେ ନନ୍ଦ ଚାଟଟା

ଚମକାଇଲେ ସେ ମାରିଦେବ ଚୁଣ୍ଟାଟା

ଚୁଗୁଲି କରଇ ବଗୁଲିଆ ‌ଚେଣ୍ଟାଟା ।୬।

 

ଛଇଳ ଶିରୋମଣି ସେ ଏଡ଼େ ଛୋଟଟା

ଛଟକେ ପଳାଇବ ସେ ‌ଦେଖି ଛାଟଟା

ଛଇଳିଙ୍କି ଦେଖିଲେ କରଇ ଛଟାଟା

ଦୁଗ୍ଧ ଲବଣୀ ଦଧି ଚଟାଟା ।୭।

 

ଦିନେ ଶିରେ ବହି ଆସିଥିଲା ଜଟାଟା

ପାଟପିନ୍ଧା ଅପାଟକ କଥା ଯୋଟାଟା

ସତ ସେ କରାଇପାରେ ହେଲେ ଝୁଟାଟା

ଜଣେ ଦେଖିଦେଲେ ଜାକିଦେବ ଅଣ୍ଟାଟା ।୮।

 

ତିଳେ ଉପୋରଧ ଛାଡ଼ି ନେବ ତୋଟାଟା

ତଳେ ପକାଇବ ସେଇ ଜଡ଼ ତୁଟାଟା

ତାର ଖଟି ତପନତନୟା ତଟାଟା

ତରୁଣୀଙ୍କ ପାଇଁ ସେ ଯେ ବଡ଼ କଣ୍ଟାଟା ।୯।

 

ଥାଇ ପାଖେ କରୁଥାଇ ପରା ଥଟାଟା

ନଟବର ତ ଜାଣେ ନାଟଟା

ପର ତରୁଣୀ ହରଣ ତାର ପଟାଟା

ଆକଟ ନ କରେ ତାକୁ ବୋପା ପେଟାଟା ।୧୦।

 

ଫେରକୁ ଛାଡ଼ି ସେ ପିନ୍ଧିଥିବ ଫେଟାଟା

ପଟାଟୋପ ତାର ଅଟେ ବୁକୁଫଟାଟା

ବାଜୁରୁ ବାଜୁରୁ ହୁଏ କଥା ଫଟାଟା

ବଡ଼ ବଢ଼ିଆ ସେ ବ୍ରଜରାଜ ବେଟାଟା ।୧୧।

 

ହିନସ୍ତା ସିନା କରଇ ଶଠବିଟଟା

ଭଟ ଭଟ ସେ ହୁଏ ଭାଟଟା

ମନୋହର ମୁର୍ତ୍ତି ତାର ନୁହେଁ ମୋଟାଟା

ଲୋଟୁଥାଏ ପୃଷ୍ଠଭାଗେ ବାଳ ମେଣ୍ଟାଟା ।୧୨।

 

ରାତି ଅଧେ ଦିନେ ଡାକିନେଲା ଲୁଟାଟା

ଲଗାଇଲା କୁଞ୍ଜେ କୁଞ୍ଜେ ଖଞ୍ଜେ ଲଟାଟା

ଲାବଣ୍ୟରୂପ ତାହାର ଲାଜ ତୁଟାଟା

ହଟ ନାଗର କେତେ ଯେ ହଟହଟାଟା ।୧୩।

 

ତା ଯୋଗରେ ଆମ୍ଭ ନାମେ ଲାଗେ ହଟାଟା

ହରକତ କରଇ ନ ମାନେ ହେଣ୍ଟାଟା

ଏହି ଗୀତେ ହୋଇଛି ଟା-ଟା ଯମକଟା ।୧୪।

 

ନୋହୁ ଯମକଟା ନ ଦେଉ ଧମକଟା

ଯାଚକବାଚକେ ହେଉଛି ରଚକଟା

ଗୀତ ଜୁଟାଇଛି କରି ଘଣ୍ଟାଚକଟା

ଗୋକୁଳାନନ୍ଦପଦ ଜୁଟାଟା ।୧୫।

 

ପାଦଟୀକା: କୁଟା – ପ୍ରହାର, (ଯଥା ତାକୁ ପାଦରେ କୁଟି ଦେଲି)ଖେଣ୍ଟା-ମିଛକଥା କହିବା ଲୋକ –ଖେଣ୍ଟିଆ ବା ଖେଣ୍ଟା । ଘନେ – ଚଞ୍ଚଳ ।

 

ସପ୍ତଚକ୍ର (ଆନୁପ୍ରାସିକ ଗୀତିକା)

 

(‘ସ’ ଆଦ୍ୟପ୍ରାନ୍ତ ନିୟମ - ଆଦ୍ୟରେ ଓ ପ୍ରାନ୍ତରେ ‘ସ’ ଅକ୍ଷର ସ୍ଥାପିତ)

ସପ୍ତଚକ୍ର ସାର ସରସ । ସରସ ରସ

ବିଦୂଷ ଦୂଷଣ ନାଶ । (ଘୋଷା)

 

ସମାନ ପିଣ୍ଡ ବ୍ରହ୍ମାଣ୍ଡ ଶୁଣ ଅବଶ୍ୟ

ସର୍ବାଗ୍ରେ ସେହି ବିଷୟ କରେ ପ୍ରକାଶ

ସର୍ବ ସଂହିତାରେ ତ କହିଛନ୍ତି ବିଦୁଷ

ଶ୍ରବଣ କର ନରେ ହୋଇ ସ୍ଥିର ମାନସ ।୧।

 

ଶର୍ବରୀ ବୈରିସୁତ ନ ଦେବଟି ପରାସ

ସର୍ବଂସିହା ଜାମାତା ହେବେ ଅତି ସନ୍ତୋଷ

ସର୍ବଦା ଯେଉଁମାନେ ଭଜୁଅଛ ଶ୍ରୀକୃଷ୍ଣ

ସର୍ବେ ପାନ କର ଏ ପୀୟୂଷ ।୨।

 

ସପ୍ତଦ୍ୱୀପ ମେରୁ ସମନ୍ୱିତ ଏ ବର୍ଷ୍ମ

ସରିତ ସାଗର କ୍ଷେତ୍ରପାଳେଶ

ସଂସ୍ଥିତ ଋଷିମୁନି ନକ୍ଷେତ୍ର ଗ୍ରହବଂଶ

ସକଳ ପୁଣ୍ୟତୀର୍ଥ ପୀଠ ପୀଠ ତ୍ରିଦେଶ ।୩।

 

ସଂସାର କରନ୍ତି ଯେ ବିନାଶ

ଶରୀର ମଧ୍ୟେ ତାଙ୍କର ଅଟେ ନିବାସ

ସର୍ଜନ୍ତି ଯେ ପୁଣି ତାଙ୍କୁ ସେ ତାଙ୍କ ପାଶ

ଶଶିକ୍ଷୟବୃଦ୍ଧିରେ ଭ୍ରମନ୍ତି ଦୃଦାକାଶ ।୪।

 

ସବିତା ତ୍ରିଯାମାରେ ଅସ୍ତ ଉଦେ ଦିବସ

ସମୀରଣ ହରଣ କରେ ଗନ୍ଧାଦିବାସ

ସଲିଳ କାର୍ଯ୍ୟ ଅଙ୍ଗେ ବିଶେଷ

ସନ୍ନିବେଶ ନଭ ବହ୍ନି କ୍ଷିତି ଦିବସ ।୫।

 

ସମ୍ବତ୍ସର ତିଥି ଯୋଗ ବାର ରହସ୍ୟ

ଶହେ ଉପରେ ଏକ ପ୍ରଧାନ ନାଡ଼ିନ୍ୟାସ

ଶତଶାଖା ନାଡ଼ି ଯେ ପ୍ରତ୍ୟେକର ପ୍ରକାଶ

ସତୁରି ପରେ ଦୁଇ ପ୍ରଶାଖା ନାଡ଼ି ସସ୍ର ।୬।

 

ଶଙ୍ଖିନୀ ଆଦି ତହିଁ ମଧ୍ୟରେ ଶ୍ରେଷ୍ଠ ଦଶ

ସଜଳା ନଦୀ ଏ ପିଣ୍ଡ ବିଶ୍ୱ

ସତ୍ୟ ଇଡ଼ା ପିଙ୍ଗଳା ସୁଷୁମ୍ନା ନଦୀଦୃଶ

ସରସ୍ୱତୀ ଯମୁନା ଗଙ୍ଗାଦି ହୃଦେ କଷ ।୭।

 

ଶରୀରଟି ତ୍ରିକୂଟ ପରବତ ସଦୃଶ

ସରୋବର ଉଦର ଦ୍ରୋଣୀ ଯେ କୁକ୍ଷିଦେଶ

ସଜ୍ଜିତ ନାଡ଼ିମାନେ ଯେସନ ତାମରସ

ସରସୀରୁହ ନାମ ଦେଲେ ମହାପୁରୁଷ ।୮।

 

ସଂଲଗ୍ନ ବ୍ରହ୍ମନାଡ଼ି ସହ ସବୁ ସାରସ

ସପତଚକ୍ର ସରସ ଗୀତ ଅନୁପ୍ରାସ

ସବର୍ଣ୍ଣ ପଦ୍ୟ ଏହିଠାରେ ହୋଇଲା ଶେଷ

ଶମନ ଭବନର ଗମନ କର ନାଶ ।୯।

 

ସଦୟ ହୃଦୟରେ ଆହେ କମଳାଈଶ

ସଂହାର ଗୋକୁଳାନନ୍ଦ କ୍ଳେଶ ।୧୦।

 

ପାଦଟୀକା: ମଧ୍ୟଯୁଗ ଓଡ଼ିଆ ସାହିତ୍ୟରେ ତିନୋଟି ଯାକ ‘ସ’ ଆବଶ୍ୟକତା ଅନୁସାରେ ଗୋଟିଏ ବର୍ଣ୍ଣ ରୂପେ ବ୍ୟବହୃତ ।ଯଥା – ଭଞ୍ଜଙ୍କ ସୁଭଦ୍ରା ପରିଣୟ କାବ୍ୟ । ଶର୍ବରୀ – ରାତି । ବୈରି – ଶତ୍ରୁ – ରାତିରେ ବୈରି – ସୂର୍ଯ୍ୟ । ତାଙ୍କର ସୁତ - ଯମ । ଶର୍ବରୀବୈରିସୁତ - ଯମ (ଦଣ୍ଡ ହେବ ନାହିଁ) । ବର୍ଷ୍ମ – ଦେହ । ତ୍ରିଦଶ – ଦେବତା । ତ୍ରିଯାମା - ରାତି । ସତୁରି ପରେ ଦୁଇ ସସ୍ର - ବାସ୍ତୋରି ହଜାର (୭୨,୦୦୦) ନାଡ଼ି ତ୍ରିକୂଟ – ତାମରସ – ପଦ୍ମ । ସରସୀରୁହ – ପଦ୍ମ । କମଳାଈଶ – ବିଷ୍ଣୁ ବା କୃଷ୍ଣ । କୌଣପ – ରାକ୍ଷାସ । ସଦ୍ମ – ବାସସ୍ଥଳ ବା ଗୃହ । ସୁମଞ୍ଚ – ଉତ୍ତମ ମଞ୍ଚ ଯେପରିକି ଜଗନ୍ନାଥଙ୍କର ରତ୍ନବେଦି ।

 

 

(‘ପ’ ଆଦ୍ୟ ପ୍ରାନ୍ତ ନିୟମ)

ପରି‌ବେଶ କରିଛି ଯେ ଶାସ୍ତ୍ରେ ଅଳପ

ପରଛିଦ୍ର ପରଚିନ୍ତା ଚିତ୍ତେ ନ ଜଳ୍ପ (ଘୋଷା)

 

ପରମାର୍ଥ ପରାୟଣ ପର ଆପଣା ସମାନ

ପରମାନନ୍ଦଙ୍କ ନାମ କରୁଛି ଜପ

ପରସ୍ପରେ ସ୍ନେହଭାବ ପଣ୍ଡିତ ପରି ସ୍ୱଭାବ

ଯାହାଙ୍କର ସେମାନେ ଏ ଗୀତ କଳପ  ।୧।

 

ପହିଲେ ଆଧାର ଚକ ପାଖୁଡା ଚାରିଟି ଠିକ,

ତ୍ରିକୋଣ ଯନ୍ତ୍ର ଅଙ୍କିତ ମଧ୍ୟ ସ୍ୱରୂପ ।

ପଶୁପତି ତଦୁପରେ ଶକ୍ତି ଚତୁଃପାରୁଶରେ

କୋଟିଏ ସବିତା ସମ ତାହାଙ୍କ ତାପ ।୨।

 

ପରିସ୍ଥିତି ତଦୂର୍ଦ୍ଧ୍ୱରେ ପରମଶିଖା ବିସ୍ତାରେ

ପରତେ ହୁଅଇ ନାଡ଼ି ପ୍ରକାଶ ସର୍ପ

ପଦ୍ମ ଚତୁର୍ଦ୍ଦଳ ଖ୍ୟାତ ।

ବଂ ଶଂ ଷଂ ସଂ ବର୍ଣ୍ଣଯୁକ୍ତ ମଧ୍ୟେ ଲଂ ସନ୍ନିହିତ ।୩।

 

ଚଉକେ ମାପ ।

ପତି ଡାକିନୀ ଶକ୍ତି ତ ପୃଥିବୀ ବୀଜ ନିହିତ

ପହି ଚକ୍ରସ୍ଥିତ ନେତ୍ର ଦ୍ୱାରସମୀପ ।

ପରିପୂର୍ଣ୍ଣ ବିଦ୍ୟାଧର ସିଦ୍ଧ ଚାରଣ କିନ୍ନର ।୪।

 

ଯକ୍ଷ ରକ୍ଷ ଗନ୍ଧର୍ବ ଅପସରା କୌଣପ

ପରବଳ ହେଲେ ଏହି ପରାଣ ପାରନ୍ତି ନେଇ

ସ୍ପର୍ଶକରେ ପରଶଇ କରେ ଅର୍ଶଦି ରୋଗ ଅମାପ ।

ପତିତ ପାବନ ଚିନ୍ତି ଗୋକୁଳାନନ୍ଦ ବଦତି ।

ପରେତରାଟ ଜୀବାନ୍ତେ ନ ଦେଉ ତାପ ।୫।

 

‘ତ’ ଆଦ୍ୟ ପ୍ରାନ୍ତ ନିୟମ

 

ତର୍କ ବରଜି ଚିତ୍ତ ଦିଅ କିଞ୍ଚିତ

ତଡ଼ିଦେବ ଏ ହୃଦୟରୁ ଦୁରିତ । (ଘୋଷା)

 

ତଦୂର୍ଦ୍ଧ୍ୱେ ଲିଙ୍ଗମୂଳେ ଯେ ଚକ୍ର ନିହିତ

ତପନପ୍ରିୟା ଷଟଦଳ ଅଭିହିତ

ତତ୍ତ୍ୱଜ୍ଞ ସ୍ୱାଧିଷ୍ଠାନ ନାମ ନେଇଛନ୍ତି ତ

ତହିଁରେ ‘ବ’ , ‘ଭ’ , ‘ମ’ , ‘ଯ’ , ‘ର’ , ‘ଳ’ , ଯେ ଅବସ୍ଥିତ ।୧।

 

ତନ୍ମଧ୍ୟେ ‘ବଂ’ ବରୁଣ ବୀଜ ସନ୍ନିବେଶିତ

ତଦୁପରି ଚିତ୍ରିଣ ସୁଷୁମ୍ନା ନାଡ଼ି ବୃତ୍ତ

ତମାଳ ବର୍ଣ୍ଣ ଦିଶେ ଲୋହିତ

ତଚ୍ଛୀଳତା ନାହିଁ ଏଥି ବୁଝ ଉଚିତ ।୨।

 

ତଥିପରେ କାମେଶ୍ୱର ଦେବ ବ୍ୟକତ

ତଳାୟକର ଦେବୀ କାମାକ୍ଷୀ ଅଧିକୃତ

ତନୁ ଶୁଭ୍ର ତାଙ୍କର ବାହନ ଡାହୁକ ତ ।

ତରତରେ ବହୁଛି ସଦା ବ୍ୟାନ ମରୁତ ।୩।

 

ତନ୍ନିଷ୍ଠ ‘ଶ୍ଳୀଂ’ ବୀଜ ଯେ ପ୍ରକୃତ

ତନ୍ମୟ ଏଭାବେ ବ୍ରହ୍ମଜ୍ଞ ତପୋବନ୍ତ

ତର୍କରେ ଏ ଚକ୍ରକୁ ଚିହ୍ନେ ଯେ ପଣ୍ଡିତ

ତଲବ ନ କରଇ ଶମନ ପେଷି ହତ ।୪।

 

ତଥ୍ୟ ଏ ଗଦ୍ୟ ପଦ୍ୟ ରଚଇ ସେ ବହୁତ

ତମୋଗୁଣ ନ ଥାଏ ହୁଏ ସୁଶୀଳ ଶାନ୍ତ

ତନ୍ଦ୍ରାଳୁ ନୁହଇ ସେ ଈର୍ଷାକ୍ରୋଧ ବର୍ଜ୍ଜିତ  ।୫।

 

ମନଃଶିକ୍ଷା

 

(‘ଚ’ ଆଦ୍ୟପ୍ରାନ୍ତ ନିୟମ)

ଚତୁର ଚିତ୍ତରେ ପାଞ୍ଚ ହେ (ଏତ) ଚକ୍ର ମଣିପୂରବାଚ । (ଘୋଷା )

 

ନାଭି ମଣ୍ତଳରେ କରିଅଛି ସଦ୍ମ

ଚଉଦରୁ ଚାରି ଊଣାଦଳ ପଦ୍ମ

ଚକଚକ ଦିଶେ ସୁବର୍ଣ୍ଣ ପରାଏ ବସିଛନ୍ତି ବ୍ରହ୍ମା ଆସନେ ସୁମଂଚ |୧|

 

କ୍ଲୀଂ ବୀଜ ଭଜନ କରେ ବେଦପତି

ଚତୁରୀ ସାବିତ୍ରୀ ତହିଁ ଅଧିଷ୍ଠାତ୍ରୀ ।

ଚଳୁଛି ସମାନ ବାୟୁ ସେହିଠାରେ ସମାନଭାବରେ ନୁହେଁ ବେଶୀ ନୀଚ |୨|

 

ଚତୁର ଅଧିକ ଷଟବର୍ଣ୍ଣ ସ୍ଥିତ

ଡ,ଢ, ଣ, ତ, ଥ, ଦ, ଧ, ନ, ପ, ଫ ଯୁକ୍ତ

କ୍ଷୁଧା ନାମେ କର୍ମ କୂର୍ମ ନାମେ ପ୍ରାଣ ଏ ନାଭିଚକ୍ରରେ ନୁହଇ ଏ ଖଚ |୩|

 

ଚଞ୍ଚଳ ଚିତ୍ତକୁ କରିଣ ନିଶ୍ଚଳ

ଚିହ୍ନି ପାରଇ ଯେ ଏ ପଦ୍ମ ମଣ୍ତଳ

ଚିର ଅଭିଶାପ ଯା ଦିଏ ତା ହୁଏ ବାଣୀ ମୁଖେ ଥାନ୍ତି ପୂଜା ପାଏ ମଞ୍ଚ |୪|

 

ଚରାଚର ସ୍ଥିତି ସଂହାର ସେ କରେ

ଚରିତ ଉତ୍ତମ ପୂଜା ଏ ସଂସାରେ

କରଣ ଗୋକୁଳାନନ୍ଦ ଗୀତ କରେ ଅନୁପ୍ରାସ ଅଛି ଆଦ୍ୟ ପ୍ରାନ୍ତରେ ଚ |୫|

 

ଘୋଡ଼ା ନାଚ ବନ୍ଦନା

 

ପ୍ରଥମେ ବନ୍ଦୁଛି ରାମନିଧିଙ୍କି ମୁଁ

ରାମେଶ୍ଵରର ଈଶ୍ଵର

ସର୍ବଦୁଃଖ ହର ହେ ପିନାକ ଧର

ମୋ ଘୋଡ଼ାକୁ ଦୟା କର |୧|

 

ଦ୍ଵିତୀୟେ ବନ୍ଦୁଛି ଜଗତ ମୋହନ

ଦେବକୀର ପ୍ରାଣଧନ

ରାମେଶ୍ଵର ଗ୍ରାମ  ମଧ୍ୟରେ ରହିଣ

ହୁଅ କାହିଁକି ମଉନ |୨|

 

ତୃତୀୟେ ବନ୍ଦେ ବୃନ୍ଦାବନ ବିହାରୀ

ଚତୁର୍ଥେ କୁଞ୍ଜବିହାରୀ

ସଭାରେ ନ ହଟୁ ଘୋଡ଼ା ମୋହରି ହେ

ଏତିକି ମୋର ଗୁହାରୀ |୩|

 

ପଞ୍ଚମେ ବନ୍ଦୁଛି ରଘୁନାଥଙ୍କୁ ମୁଁ

ଷଷ୍ଠେ ମଦନ ମୋହନ ।

 

ମହାବୀରଙ୍କର ବାହୁଛାୟାତଳେ

ସର୍ବେ ପଶୁଛୁ ଶରଣ |୪|

 

ଅଷ୍ଟମେ ବନ୍ଦୁଛି ବଘେଇ ମାଆଙ୍କୁ

ନବମେ ଲୋ ମା ହିଙ୍ଗୁଳା

ସଭାମଧ୍ୟରେ ମୁଁ ତୁମ୍ଭଙ୍କୁ ଡାକୁଛି

ମୋ କଣ୍ଠରେ କର ଖେଳା |୫|

 

ଦଶମେ ବନ୍ଦୁଛି ମାଆ ମଙ୍ଗଳାଙ୍କୁ

ଏକାଦଶେ ଖଣ୍ଡୁଆଳ

ଗ୍ରାମବାସୀଙ୍କର ସହାୟ ହୋଇଛୁ

କରୁଥିବୁ ତୁ ମଙ୍ଗଳ  |୬|

 

ଦ୍ଵାଦଶେ ବନ୍ଦୁଛି ମାତ ଭଗବତୀ

ତୋ ଚରଣେ ମୋ ବିନତି

ଗୀତରେ ରଚିଛି ଗୋକୁଳାନନ୍ଦ ଲୋ

ଡାକ ପାଦେ ମୋ ପ୍ରଣତି |୭|

___________________________________

ଏହିସବୁ ଦେବା ଦେବୀ ଯଦିଓ ଅନେକାଶଂରେ ଅନ୍ୟ କେତେକ ସ୍ଥାନରେ ଥିବା ସମ୍ଭବ, ତଥାପି ପ୍ରକୃତରେ କବିଙ୍କ ନିଜ ଗ୍ରାମର ଚାରିପଟେ ଏସବୁ ଦେବାଦେବୀ ରହିଛନ୍ତି ।

 

ଚଢ଼େୟା ସୁଆଙ୍ଗ ( ଝାମୁଯାତ୍ରା )

 

ଚଢ଼େୟାଚଢ଼େୟା ହେଲା ବାହାର,

ଶିରେ ଲାଲ ପାଗ ବନ୍ଧା ତାହାର,

ସୁଜନେ ହେ, ତମ୍ଭା କଙ୍କଣ ବାହୁର, ସୁଜନେ ହେ | ୧|

 

ମଣିଆ ମାଆଙ୍କୁ ବନ୍ଦେ,

ପ୍ରଣମିଲି ବାତ ଭଗତା ପଦେ,

ସୁଜନେ ହେ, ପୁଣି ଏ ସଭାକୁ ହାଦେ, ସୁଜନେ ହେ |୨|

 

ମେଷ ସଙ୍କରାନ୍ତି ଥାଇ,

ଦଣ୍ଡପାଟ ବେତ ସଙ୍ଗରେ ନେଇ

ସୁଜନେ ହେ, ଭଗତା ବୁଲନ୍ତି ଯାଇ, ସୁଜନେ ହେ | ୩ |

 

ଦାତାଙ୍କ ଦୁଆର ଘେରି,

ମିଳି ନାଟ ଗୀତ କାମନା କରି

ସୁଜନହେ, ପଇସା କଉଡ଼ି ଧରି, ସୁଜନ ହେ | ୪ |

 

ଯାହା ହୁଏ ରୋଜଗାର ,

ସବୁ ଠାକୁରଙ୍କ ଖର୍ଚ୍ଚ ସେବାର,

ସୁଜନେ ହେ, ନ ନିଅନ୍ତି କେହି ଘର, ସୁଜନେ ହେ      |୫|

 

ପ୍ରତିବର୍ଷ ଏହି ଭଳି,

ହଜୁରଙ୍କ ପଦେ ଆମର ଅଳି,

ସୁଜନେ ହେ, ଫିଟାଅ ଟଙ୍କାର ଥଳି; ସୁଜନେ ହେ |୬|

 

ଶବର: ବାହାର, ଶବର ଗୁଣାକର,

ବାହାର ......... (ଘୋଷା)

 

ଶିକାର ମାଉଁସ ଶିକାରୁ ବଳିଲେ,

ଶିକାରେ ସାଇତେ, ନାହିଁ ବିକାର |୧|

 

ସମରେ ଅମର ଗୁମର ଭାଙ୍ଗଇ, ସମ ରେ

ମୋ ସଙ୍ଗେ କେହୁ ସଂସାର |୨|

 

ଘର କରି ଏହି ଅରଣ୍ୟରେ ଅଛି,

ହର ଅଟବୀରେ ମୁଁ ଅଟେ ବୀର |୩|

 

ଖାଇ ଫଳ ମୂଳ ପିଇ ଝରଜଳ,

ଶର ମାରିବାରେ ମୁଁ ଧୁରନ୍ଧର |୪|

 

କହଇ ଗୋକୁଳାନନ୍ଦ ମୋର ଡ଼ରେ,

ନ ପଶନ୍ତି ଏଥି ନର ବାନର |୫|

 

ହରଙ୍କ କାନନ, ପଶିବାକୁ ଆନ,

ନୁହଇ ଏଥି କେ କ୍ଷମ….

 

କାହିଁର ତୁ ଚୋର, ଆସି ବନ ଘୋର,

ବାମ ହେଲା ତୋତେ ଯମ ରେ

 

ଥିଲେ ପ୍ରାଣରେ ଆଶ, ଫେରିଯାଅ ବେଗେ ନିଜ

ବାସରେ ଥିଲେ ପ୍ରାଣରେ ଆଶ |୧|

 

ଚଢ଼େୟାଅବୟବ ଯବ ହେବ ରେ

ଶବର ଜବରଦସ୍ତି ତୁ କଲେ….

 

ନବରକୁ ତୋର ଖବର ନ ଯିବ,

କବର ଲଭିବୁ ଭଲେ ରେ

 

ହର-ବରକୁ ପାଇ, ହରବର ହେବୁ କିମ୍ପା

ତୁହି ରେ, ହର-ବରକୁ ପାଇ |୧|

 

ଶବର: ମଣିଛୁ କି ମୋତେ ସାମାନ୍ୟ ମାନବ

ଗୁମାନ ଦେବି ଛଡ଼ାଇ

 

ଚଢ଼େଇ ଧରିବା କଥା ଏ ନୁହଇ

ଭାଙ୍ଗିଦେବି ତୋ ବଡ଼ାଇ

 

ଯମଦୂତେ ଅଡ଼ାଇ,

ନେବେ ତାଙ୍କ ପୁରକୁ କଢ଼ାଇ | ୧ |

 

ଏତେ କହି ବଧ ନିମନ୍ତେ, ଢାମଣା ଶର ମାଇଲା ତକ୍ଷଣ….

ବାଜିବେଗେ ଗତି, କରି ତାର ଛତି, ବାଜି ବେଗେ ନେଲା ପ୍ରାଣ

ଚଢ଼େୟାଣୀ ପ୍ରବେଶ, ଦୀନ ଗୋକୁଳାନନ୍ଦ ପ୍ରକାଶ | ୨ |

 

ଚଢ଼େୟାଣୀ:

 

ଗୁଆ କୋଳି ଦାନ୍ତକାଠି, ଶୁକଳ ପୋଖରୀ ଛାଡ଼ିଲା ଦିନୁ

ଚଢ଼େୟା ରେ, ଦୋହଲେ ପଞ୍ଜରାକାଠି | ୧ |

 

ଚଢ଼େୟା ବାଉଁଶ ନଳ, ଛେଚା କୁଟା ପାଣି କେଡ଼େ ଉଜ୍ଜ୍ଵଳ

ଚଢ଼େୟା ରେ, ଗଙ୍ଗାରୁ ବୋହୁଛି ଜଳ |୨ |

 

ଦାନ୍ତକାଠି ଭାଙ୍ଗୁଥିଲି, କିଏ ସେ କହିଲା ଚଢ଼େୟା ମଲା

ଚଢ଼େୟା ରେ, ଡାଳ ଧରି କାନ୍ଦୁଥିଲି | ୩ |

 

ଚଢ଼େୟା ମୃତ୍ୟୁରେ କ୍ରନ୍ଦନ:

 

ବାଇଝାଲି ମାଛ ବେସର ଧନ ଖାଆନ୍ତି ନାହିଁ

କାଞ୍ଚି ଖୁଦି ପିତା ଧନଙ୍କୁ ମୋର ଅଣ୍ଟଇ ନାହିଁ |୧|

 

ସୋରିଷ ତେଲରେ ଭାଜିଲେ ମାଛ ମାଡ଼ଇ ବାନ୍ତି

ଆଟିକାଏ ସିଝା କେରାଣ୍ତି ଚାହୁଁ ଚାହୁଁ ଗିଳନ୍ତି |୨|

 

ତାଟିଆଏ ବାସୀ ପଖାଳ ଗାଡ଼ିଆକୁ ନିଅଣ୍ଟ

ଦି ଡିବା ଚାଉଳ ପଥିକି ମୁଁ ତ ରଖିଛି କଣ୍ଟ |୩|

 

ହାତୀପାଦ ଛୋଟ ମୋଟରେ ହେବ ଗୋଡ଼ ଦୁଇଟି

ଯେଉଁଠାରେ ବସେ ଘଡ଼ିଏ ଓଦା କରେ ଭୂଇଁଟି |୪|

 

ଫାଟୁଆ ଚରଣ ଦୁଇଟି ବଡ଼ ନାଟୁଆ ବୀର

ଝାଟୁଆରେ ବସେ ପିଠିରେ ନିତି ପାଞ୍ଚ ପାହାର |୫|

 

ଚୌକିଦାର:

 

ସାଆନ୍ତେ ମୋତେ କିଏ ସେ, ମୁଁ ସାଆନ୍ତେ କିଏ ସେ

ମୋତେ କାହିଁକି ଡାକୁଛ ହେ, ମୁଁ ତ ଅକୁର ମଳିକ |୧|

 

ପଟ୍ଟଯୋଷୀଙ୍କର ଚୋରୀ ଗଲା ଲେଉଟିଆ ବାରିକ

ଆଜ୍ଞା, କୋଶଳା ବାରିକ

ସେ କଥା ମୋର କିଏ ପଚାରେ, ପିଲାଙ୍କ ଦିହ ଦୁଖ

ମୋର ମାଇପ ଦିହ ଦୁଖ |୨|

 

ସାଆନ୍ତେ ମୋତେ

ବସ୍ତିବାଲେ ହୁସିଆର ।

 

ଜମାଦାର ଓ ଦାରୋଗା ପ୍ରବେଶ:

 

ଅପମୃତ୍ୟ ଖବର ପାଇ, ଦାରୋଗା ଥାନାରୁ ଅଇଲୁ ଧାଇଁ । (ଘୋଷା )

 

ଚୋରୀ ଡ଼କାୟତି ତଦାରଖ କରୁ

ନିତି ରାତି ରାତି ଗ୍ରାମରେ ଯାଇ |୧|

 

ଯା’ପରେ ଆମର ସନ୍ଦେହ ହୁଅଇ,

ନେଉ ତାକୁ ହାତକଡ଼ି ପକାଇ |୨|

 

ବାଟେ ଘାଟେ ହାଟେ ଚାଲି ଯାଉଥିବୁ

ରଟମଟ କରି ଦେଉ ଅନାଇଁ |୩|

 

କହଇ ଗୋକୁଳାନନ୍ଦ ଭାବି ଛନ୍ଦ

ମଚମଚ ଚାଲୁ ଯୋତା ମଡ଼ାଇ |୪|

 

ଚୌକିଦାର:

 

ଚାଲ ଜମାଦାରେ ଯାଉଛି,

ମୋ’ ନାଆଁରେ ରିପୋର୍ଟ ହୋଇଛି ।

ଜମାଦାର:ତୁମ ଶାଲା ବଡ଼ ବେହିମାନି, କାହାଁ ଗୟା ଦରୁଆନି

କାନକୁ ରଗଡ଼େଙ୍ଗେ ହାତକୁ ପକଡ଼େଙ୍ଗେ

ଦୋନୋଁ ଯୋତା କସି ଦେଙ୍ଗେ

ତୁମ୍ ଶାଲା ବଡ଼ା ବେହିମାନି……

(ଚଉକିଆକୁ ମାଡ଼)

 

ଚୌକିଦାର:

 

ମରିଗଲି ଜମାଦାର ଏ ମାଡ଼ ଖାଇ, ମରିଗଲି…..

ଏ ଶଳା ଚାକିରି ଆଉ କରିବି ନାହିଁ ।

(ଚଢ଼େୟାର ଭଣଜା ବୁଲା ନାଏକ ପ୍ରବେଶ)

 

ବୁଲା:

ମୋ ନାମ ବୁଲା ନାଏକ, ମୋତେ କାହିଁକି ଡାକ

ଇଆଡ଼େ ଡାକ, ସିଆଡ଼େ ଡାକ, କୁଆଡ଼େ ଡାକ (ଘୋଷା)

ସିନ୍ଧିଆଳଙ୍କର ସରଦାର ମୁହିଁ, ଚୋରୀ କରେ ରାତିଯାକ । ମୋତେ…..

ଶୁଖୁଆ ପୁଡ଼ାଟି ସାଙ୍ଗରେ ନେଉଛି, ପଖାଳ ଖିଆରେ ଟକ । ମୋତେ…..

 

ଚଢ଼ଉଣୀ ଶୋକ:

 

ମୋର ବୁଲା ରେ, ତୋର ମାମୁଁ ତ ନିକାଶେ ମରିଗଲା ରେ । (ଘୋଷା)

ଢଙ୍କିଶାଳେ ଧାନ କୁଟା ବେଳେ କୁଣ୍ତା

ରଖିଦେଉ ନଥିଲା ସେ ତ କୁଲାରେ ମୋର……

 

ଭଣଜା କାନ୍ଦ:

 

ତୁ କାନ୍ଦୁଅଛୁ କାହିଁପାଇଁ ଲୋ ମାଇଁ

ପିଠା କରୁଥିବୁ ସାଇଁ ସାଇଁ ଲୋ ମାଇଁ

ତୋର ପଲମ ହଲିବ ନାହିଁ ଲୋ……….

ମାମୁଁଠାରୁ ମଲି ଗୋଦରା ଗୋଟିଏ ଗଞ୍ଜାଇ ରଖିଛି ମୁହିଁ ଲୋ………

ଶୁଖୁଆ ପୋଡ଼ିଦେ’ ପଖାଳ ମୁଠାଏ ଆଗ କରି ଦେବା ଖାଇ ଲୋ…….

ପଛରେ ମାମୁଁକୁ ପୋଡ଼ିବା ପୋତିବା ମଶାଣି ପଦାକୁ ନେଇ ଲୋ………

ମୋ ଘରକୁ ଗଲେ ଦିଡ଼ିବା ଚାଉଳ ଥରକେ ଦିଏ ପକାଇ ଲୋ……..

ଏଡ଼େ ପରପଞ୍ଚ ମୋ ଛାଇ ପଡ଼ିଲେ ଡେଉଁଥାଏ ତାର ନାହି ଲୋ……..

 

ଶିବ ପାର୍ବତୀ ପ୍ରବେଶ:

 

ସର୍ବାଣୀ ସହିତେ ସର୍ବ ବୃଷଭେ ବିଜେ….

ତାଧ୍ରିମି ତାଧ୍ରିମି ଧ୍ରିମି ଡ଼ମ୍ଵରୁ ବାଜେ

ବହୁଛି ଜାହ୍ନବୀ ଧାର ଉରଗ ଗଳାରେ ଉରଗ ହାର

ନେତ୍ରତେଜ ଚନ୍ଦ୍ର ସୂର୍ଯ୍ୟ ଅଗ୍ନିକି ଗଞ୍ଜେ

 

ପାର୍ବତୀ:

କହନ୍ତି ପାର୍ବତୀ, ଶୁଣ ପଶୁପତି

ପ୍ରତିଦିନ ଏ ବନକୁ

 

ଚଢ଼ି ବୃଷଭରେ, ଆସୁ ତୋଷ ଭରେ

ଆସୁଥାଉ ଏବନକୁ ହେ, ପ୍ରାଣଧବ

ଆଜ ଏକ ଅସମ୍ଭବ ହେ, ପ୍ରାଣଧବ

 

ଶିବ: ଯେ କାନ୍ଦିଲେ କାନ୍ଦୁ, ତୋତେ କିମ୍ପା ବାଧୁ ଅଛି ଲୋ ପ୍ରାଣସଜନୀ

ଚାଲ ପ୍ରିୟ ଆଳୀ ବନେ କରି କେଳି

ବଞ୍ଚିବା ଆଜ ରଜନୀ ଲୋ, ଭଗବତୀ

ତୋ ଦୟା କିମ୍ପା ତା ପ୍ରତି ଲୋ, ଭଗବତୀ ।

 

ପାର୍ବତୀ:

 

ସେଠାକୁ ଯେବେ ନ ଯିବ ସଦାଶିବ

ଯିବି ନାହିଁ ମୁଁ ବନକୁ

ଦେବୀଙ୍କ କଟାଳ ଶୁଣିଣ ଚଞ୍ଚଳ

ହର ଗଲେ ତା ପାଖକୁ, ସେ ପଚାରନ୍ତି

ତୁ ଅଟୁ କାହାର ଯୁବତୀ, ସେ ପଚାରନ୍ତି ।

ଚଢ଼ଉଣୀ: କହେ ଚଢ଼ଉଣୀ ତୁମେ କିଏ ପୁଣି, ଆସିଅଛ ରାତି ଅଧେ

ମୋହର ଗିରସ୍ତ ହୋଇଛନ୍ତି ମୃତ

 

ତେଣୁ କରି ମୁହିଁ କାନ୍ଦେ ହେ, ମୋତେ କେହି

ଖାଇଲେ ଲଭନ୍ତି ତ୍ରାହି ହେ, ମୋତେ କେହି ।

 

ଶିବ: ଆମ୍ଭେ ପଶୁପତି      ଆମ୍ଭର ଯୁବତୀ

ଅଟନ୍ତି ଏହୁ ପାର୍ବତୀ

ବୁଲୁ ବୁଲୁ ବନ ଶୁଣି ତୋ କ୍ରନ୍ଦନ

ଆସିଲୁ ତୋହର କତି ଲୋ, ଶୁଣ ସତୀ ।

ଗୋକୁଳାନନ୍ଦ ବଦତି ଲୋ, ଶୁଣ ସତୀ ।

(ଫୁଲପାଣି ସିଞ୍ଚି ଚଢ଼େୟାକୁ ଜୀବଦାନ ଦେବା)

 

ବନୀ ଓ ବନାତା

 

ରମଣୀ ହୋଇଛି ବାହାର, ଏ କାହାର

ବନସମ ଅପଘନ ମନକୁ ମାନଇ ମୋର । (ଘୋଷା)

ମୀନ ନଳିନ ଈକ୍ଷଣା ଖଞ୍ଜନ ଏଣୀ ନୟନ ।

ଅଞ୍ଜନ ରଞ୍ଜନ ସୁରୁଚିର

କୁନ୍ଦ ଡାଳିମ୍ଵ ସମାନ ଦାନ୍ତ ଏହାର

ଲଳନା କୁଚ କୁସୁମ୍ଭ ଚକ୍ରବାକ ମନୋହର |୧|

ବନପ୍ରିୟ କୀରରବ ବାଣୀରେ ହେବ ସମ୍ଭବ

କନକ କମଳ ପାଦେ ସ୍ଥିର

ହଂସ ହାତୀ ଗତି ବୋଲି କହନ୍ତି ଧୀର

ଚମ୍ପା ଶମ୍ପାକ ବର୍ଣ୍ଣରୁ ନିଉନ ହେବ ବିଚାର |୨|

ବଳାମଲ୍ଲ କଢ଼ି ଫୁଲ ମଣ୍ତନ ଏ ତ ଅତୁଳ

ପ୍ରକାଶିତ ରମ୍ଭାର ସମ୍ଭାର

ପ୍ରଶଂସାର ଯୋଗ୍ୟ କମଳାକ୍ଷୀର ବର

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର |୩|

 

ଉପେନ୍ଦ୍ର ଭଞ୍ଜଙ୍କର ବୈଦେହୀଶ ବିଳାସ ୭ମ ଛାନ୍ଦରେ ଏଭଳି କଳ୍ପନାର ଅନେକ ବର୍ଣ୍ଣନା ଦିଆଯାଇଛି ।

 

ଅନ୍ତର୍ଲିପି ଓ ବହିର୍ଲିପି

 

ଧନ ମାନ ନ କରିବ, ମନରୁ ନ ପାଶୋରିବ

ଦାସଜନେ ରୋଷକରି, ଅପଯଶ ଅରଜିବ ।

 

ମଇଥିଳୀକି କାକୁତ୍‍ସ୍ଥ , ବିଭାହେଲେ ଭାବି କିସ

ନରେଶ ଦରଶରଥଙ୍କ କି ହୁଅନ୍ତି ଲବକୁଶ |୧|

 

ଋଷି ବିଶ୍ରବାନନ୍ଦନ, କି କରି ସୀତା ହରଣ

ନେଲା କେଉଁବାଟେ ଘେନ, ବେନି ବର୍ଣ୍ଣେ ଲେଖ ଭାବ |୨|

 

ପାପିଷ୍ଠ ରାବଣ କାହିଁ, ଅସୁରୀ ଗଣ ଜଗାଇ,

ଶୋକ ଅପୂର୍ବେ ବୈଦେହୀ କି ଭୋଗ କରିଲେ ଭାବ |୩|

 

ରିଷ୍ଟ କଥାରେ ଦଶାସ୍ୟ, ରାମଙ୍କର ହେଲା କିସ

ବକ କହନ୍ତି ସନ୍ଦେଶ, କି ଦେଲେ ତାଙ୍କୁ ରାଘବ  |୪|

 

ଅଂଜନାଦି କେଉଁଭକ୍ତି, କହିଥିଲେ ରାମପ୍ରତି

ପଞ୍ଚ ସେନାପତି ସ୍ଥିତି କି ହୋଇଥିଲେ ସୁଗ୍ରୀବ  |୫|

 

ପତିରୂପୀ ରାମଙ୍କର, ନଥିଲେ ସୈନ୍ୟ କେଦାର

ସବୁକପିମାନଙ୍କର ଥିଲେ କି ଭାସ୍କର ଭାବ  |୬|

 

ଅବ୍ଧି ନଛାଡ଼ନ୍ତେ ପଥ କି କରିଲେ ରଘୁନାଥ

ରଣେ କା ବଂଶ ନିପାତ, କରି ଉଶ୍ଵାସିଲେ ଭବ |୭|

 

ବିଷ୍ଣୁ ଲେଖର କି ହୁଏ, ଯେ ହୋଇଲେ ଲଙ୍କାରାଏ

ବଦତି ଗୋକୁଳାନନ୍ଦ କ୍ରମାର୍ଥେ ଲେଖି ଭାବିବ  |୮|

ପାଦଟୀକା: ଏହା ଭଞ୍ଜ ସାହିତ୍ୟର ଏକ ବିଶେଷତ୍ଵ । ମଧ୍ୟଯୁଗର ଅନ୍ୟ ଅନେକ କବି ଏହି ଚାତୁର୍ଯ୍ୟ ଫୁଟାଇଛନ୍ତି । ଏଥିରେ ଗୋଟିଏ ଗୋଟିଏ ପ୍ରଶ୍ନ କରାଯାଏ । କିନ୍ତୁ ପ୍ରତି ପ୍ରଶ୍ନର ଉତ୍ତର ପାଇଁ ଏକାଧିକ ଶବ୍ଦ ଶ୍ରୋତାଙ୍କ ମନକୁ ଆସିଥାଏ । ଅଥଚ କେଉଁ ଶବ୍ଦଟି ଦେଲେ କବିଙ୍କର ବିବକ୍ଷା ଅନୁସାରେ ଉତ୍ତରଟି ଠିକ୍ ହେବ, ସେଥିପାଇଁ ବିଦଗ୍ଧତା ଆବଶ୍ୟକ ।

 

ସରବସାର

 

(ଦାସକାଠିଆ ବୃତ୍ତେ)

ସଭାଜନେ ଶୁଣ ଏ ରସ

ସବୁଠାରୁ ଏ ବିଷୟ ଅଟେ ସରସ । (ଘୋଷା)

 

ସଉରାଷ୍ଟ୍ର ନାମେ ଥିଲା ଏକ ପ୍ରଦେଶ

ସଉଧ ସଦନ ତହିଁ ଅଟେ ବିଶେଷ

ସହକାରାଦି ତରୁ ବେଷ୍ଟିତ ଚଉପାଷ

ସହସ୍ରାଂଶୁ କିରଣ ନ ଦିଏ ତହିଁ ତ୍ରାସ |୧|

 

ସହଳେ ଉଠନ୍ତି ସେଠାରେ ଯେ ମନୁଷ୍ୟ

ସଂହନନ ପଖାଳି ଭଜନ୍ତି ଶ୍ରୀନିବାସ

ସହଜରେ ବୁଝନ୍ତି ଗୀତା କରି ଅଭ୍ୟାସ

ସହରର ଶୋଭାକୁ ପ୍ରଶଂସନ୍ତି ତ୍ରିଦଶ |୨|

 

ସହାୟ ପରସ୍ପର ନ ଥାଏ ହିଂସାଦ୍ଵେଷ

ସହାନୁଭୂତି ରଖି ଚଳନ୍ତି ତେଜି ରୋଷ

ସମର୍ପଣେ ରଖନ୍ତି ବିଶ୍ଵାସ

ଶତକ୍ରତୁ ନାମେ ତହିଁ ଏକ ନରେଶ |୩|

 

ସତ କହିବାରେ ଧର୍ମସୁତ ସଦୃଶ ।

ସତତ ଦାନ ଧର୍ମେ ଥାଏ ତାଙ୍କ ମାନସ

ସତର୍କତାରେ କାର୍ଯ୍ୟ କରୁଥାନ୍ତି ଅବଶ୍ୟ

ଶର୍ବରୀଚରଙ୍କୁ  ସେ କରିଥିଲେ ବିନାଶ |୪|

 

ସମସ୍ତ ନରପତି ଥିଲେ ତାଙ୍କର ବଶ ।

ଶରୀର ଶୋଭାରେ ମହୀରେ ଏକା ଶେଷ

ସମାନ ହେବ ନାହିଁ କଦାପି ରତିଈଶ

ସକଳ ଶାସ୍ତ୍ରେ ପାରଦର୍ଶୀ ସେହି ମହୀଶ

ସବ୍ୟସାଚୀ ପରାୟେ ସାହସ |୫|

 

୧. ସହକାର – ଭଲ ବାସନାଥିବା ଆମ୍ୱ, ୨. ସଂହନ – ଦେହ (ଯାହା ସମ୍ୟକ୍‌ରୂପେ ହତ ବା ନଷ୍ଟ ହୁଏ), ୩. ତ୍ରିଦଶ – ଦେବତା (ବାଲ୍ୟ, ପୌଗଣ୍ତ ଓ ଯୌବନ- ଏଇ ତିନି ଦଶା ଯାହାର), ୪. ଶର୍ବରୀଚର – ରାତ୍ରିଚର - ରାକ୍ଷସ ।

 

ସମାଜରେ ରଖିଥାନ୍ତି ବହୁ ବିଦୁଷ

ସମାଲୋଚନା କରନ୍ତି ଗ୍ରନ୍ଥ ଅଶେଷ

 

ସଂପଦରେ ହାରିବ ନିଶ୍ଚୟ କିନ୍ନରେଶ ।

ଶଠ ଖଣ୍ଟ କପଟୀ ନ ଥିଲେ ତାଙ୍କ ପାଶ |୬|

 

ଶଚୀବର ଲୋଡ଼ନ୍ତି ଘଟିଲେ ଅରିକ୍ଲେଶ

ଶତ୍ରୁ ତ୍ରିଯାମାକୁ  ସେ ଅଟନ୍ତି ଅବା ହଂସ ।

ସନ୍ନିଧିକି ଆସିଲେ ଗୁଣବନ୍ତ ମନୁଷ୍ୟ ।

ସନ୍ନିଧି ବିଷୟରେ କରୁଥିଲେ ସନ୍ତୋଷ |୭|

 

ସନ୍ତାନଭଳି ପାଳୁଥିଲେ ସେ ପ୍ରଜାବଂଶ ।

ସନ୍ତାପ କାହା ମନେ ଦେଉ ନ ଥିଲେ ଲେଶ ।

ସର୍ବଦା କରୁଥିଲେ ସୁଖରେ ବିଳାସ

ଶର ବିନ୍ଧିଲେ ପ୍ରାଣୀଏ ଲଭନ୍ତି ପ୍ରାସ |୮|

 

ଶରଣ ରଖନ୍ତି କେହି ହେଲେ ହତାଶ ।

ସରଣୀରେ ତୋଳାଇଥିଲେ ପାନ୍ଥନିବାସ

ସରସୀ କୂପେ ଖୋଳାଇଥିଲେ ବିଂଶ ବରଷ

ଶରଧା କରୁଥିଲେ ଯେ ଦାସୀଦାସ |୯|

 

ସରଳ ଚିତ୍ତ ସଦା ସତ୍କାର୍ଯ୍ୟେ ଅଭିଳାଷ

ଶରଦ ଚନ୍ଦ୍ରପରି ବିଖ୍ୟାତ ହେଲା ଯଶ ।

ସରଇ ନାହିଁ ଗୁଣ କରୁଥିଲେ ପ୍ରକାଶ ।

ସମାନ ହେବ ୟାକୁ ସ୍ଵାଦୁ ଗୁଣେ ପୀୟୂଷ |୧୦|

 

ଶମନ ଦଣ୍ତ ଏ ଦଣ୍ତକେ କରିବ ନାଶ

ସନ୍ଥଜନେ କ୍ଷମିବ ଥିଲେ ଏଥିରେ ଦୋଷ

ସ ଆଦ୍ୟ ପ୍ରାନ୍ତେ କରି ଗୋକୁଳାନନ୍ଦ

ସମାପନ କଲା ହେ ବିଦୁଷ |୧୧|

 

|| ୨ ||

 

ରଜନୀପତି ସୁତ ବାର ଏ ରସ ବାର ।

ରସାପତି ଶତକ୍ରତୁ ଦାନ ଦେଲେ ବାରବାର (ଘୋଷା)

 

ରବିସୁତେ ଶୁଣି କରି ରଙ୍କବ୍ୟକ୍ତି ପରକାର

ରଭସ ମିଳି ନୃପ ପାଶର ।

ରତ ହୋନ୍ତି କରିବାରେ ଦୁଃଖଗୋଚର ।

ରବ ସର୍ବଦା ଜିଣିଲା ଶବଦକୁ ବାରିଧିର |୧|

 

୧. ସମାଜ – ନାଟକ ପ୍ରଭୃତିର ଦର୍ଶକବୃନ୍ଦ, ୨. କିନ୍ନରେଶ – କୁବେର, ୩. ଶଚୀବର – ଇନ୍ଦ୍ର, ୪. ତ୍ରିଯାମା – ରାତି (ତିନି ଯାମ ଯାହାର), ୫. ହଂସ – ସୂର୍ଯ୍ୟ, ୬. ସରଣୀ – ରାଜରାସ୍ତା ।

ରତ ହେଲା ନୃପହାତ ଦତ୍ତ କରିବାରେ ବିତ୍ତ

ଚିତ୍ତ ପ୍ରଫୁଲ୍ଲିତ ନିରନ୍ତର ।

ରହିଥିବା ଚାକରଙ୍କୁ ନ ମିଳେ ତର ।

ରଦ ହୋଇଗଲେ ଦଳେ ଅନ୍ୟ ହୁଅନ୍ତି ହାଜର |୨|

 

ରଖିଲେ ନାହିଁ ମହିଷ ଗୋ ସ୍ଵର୍ଣ୍ଣ ରୌପ୍ୟ ମହୀଶ

ଧନଧାନ୍ୟାଦି ପଟ୍ଟଅମ୍ବର ।

 

ରହିଥିଲା ପରିଧେୟ ବାସ ଶରୀର ।

ରହିତ ନୁହନ୍ତେ ମାଗିଥିଲେ ଦେବାରେ ତତ୍ପର |୩|

 

ରଖିଲେ ଯା ଦକ୍ଷିଣର ଦଶଗୁଣ ବୃଦ୍ଧି ତାର

କେବଳ ତାହା ହେଲା ଭଣ୍ତାର ।

ରଟିଲେ ଚତୁର୍ଦ୍ଦିଗରେ ଯଶ ସ୍ଵ ପର ।

ରବାଜକୁ ଦେଖି ଭୀତ ତ୍ରସ୍ତ ହେଲେ ସୁନାଶୀର |୪|

 

ରଜା ହେବ ସେ ସ୍ଵର୍ଗର

ରକ୍ଷା ଆଉ ନାହିଁ ମୋର ।

ରମାଧବ ଦେବେ ନିଶ୍ଚେ ବର ।

ରାଗି ଯାଇ କଲେ ସେହି ଏକ ଫିକର ।

ରଚିଲା ଗୋକୁଳାନନ୍ଦ ଏ ପ୍ରାଚୀନ ସମାଚାର |୫|

 

|| ୩ ||

 

ବଶୀଭୂତ ଗୀତେ ବସି ସ୍ଥିର ଚିତ୍ତେ କଷିବ ଏହାକୁ ଯେ ନରପୁଙ୍ଗବ

ବସୁଧାଭୃତାରି ବସୁଧାଭୃତଙ୍କୁ ଯେ ଦଶା ଦେଲେ ତା ବାକ୍ୟେ କେ କହିବ । (ଘୋଷା)

 

ବସାଇ ପାଶରେ ଭସାଇ ରସରେ ଭାଷିଲେ ଖଳକୁ ମର୍ତ୍ତ୍ୟକୁ ଯା ଯବ

ବସାରୁ ବାହାରି ଯେପରି ବନକୁ ଯିବ ଶତକ୍ରତୁ ନୃପ ସକୁଟୁମ୍ଵ ।

 

ବଳ ପରବଳ ପାଇଣ ଚଞ୍ଚଳ ଗଲା ତା ରୂପକୁ ଦେଖେ ମାନବ ।

ବହନ ସେ ରାଣୀ ଅଙ୍ଗେ ପ୍ରବେଶନ୍ତେ ଭାଷିଲେ କାନନେ ବୁଲିଯିବା ଧବ ।

 

ବନିତାଙ୍କୁ ଘେନି ସଙ୍ଗେ ପୁତ୍ରବେନି ଗଲେ ସେ ଅବନୀନାଥ ବହିର୍ଭାବ ।

ବସୁମତୀ- ପୁତ୍ରୀ ସହିତ ସୌମିତ୍ରି ତ୍ରେତା ଯୁଗେ ଯଥା ବୀରେନ୍ଦ୍ରରାଘବ ।

 

ବସିଥିଲେ ଏକ ନଦୀକୂଳେ ବୃକ୍ଷମୂଳେ ଉପସ୍ଥିତ ହୋଇଲା ସାଧବ ।

ବଦତି ମୁଁ ଅତି ବିପଦେ ପଡ଼ିଛି ଲାଗିଗଲା ଚଡ଼ାଉପରେ ମୋ ନାବ ।

 

୧. ବସୁଧାଭୃତାରି – ଇନ୍ଦ୍ର (ବସୁଧାଭୃତ – ପର୍ବତ, ତା’ର ଅରି – ଶତ୍ରୁ, ୨. ବସୁଧାଭୃତ – ରାଜା, କାସାର – ଛୋଟ ପୋଖରୀ (ଗାଡ଼ିଆ) ।

 

ବଣିଜ ନିମନ୍ତେ ଯାଉଅଛି ମୁହିଁ କହିଥିଲେ ମୋତେ ପୂର୍ବେ ଇଷ୍ଟଦେବ

ବହନ୍ତା ନଦୀରେ ଅଟକିଲେ ତରୀ ଯଦି ସତୀନାରୀ ଛୁଇଁବ ସେ ଯିବ ।

 

ରବରନାର ବର ହେବ ପରା ଏକଥା ମୋହର ହେଉଛି ସଂଭବ ।

ବରଗିଲେ ବରାରୋହାକୁ ସେଠାକୁ ବିପତ୍ତିରୁ ମୋତେ ଉଦ୍ଧାର କରିବ

 

ବଦାନ୍ୟ ପ୍ରବର ସେହି ନୃପବର ସହ ନ ପାରିଲେ ବ୍ୟଥାକୁ ତା ଲବ

ବଦତି ଗୋକୁଳାନ୍ଦ ଦୃଷ୍ଟି ରଖି ଅନୁମତି ଦେଲେ ବାମାକୁ ପାର୍ଥିବ ।

 

|| ୪ ||

 

ସାର୍ବଭୌମ ଜନମାନେ

ଏ ରସେ ବଳାଅ ଆଶା

ଶାବକ ଦିନୁ ଅର୍ଜିବା

ପାପ ବର୍ଜିବ ସହସା ।

 

ସାଧବ ସ୍ଵଧବ ପାଶୁ

ଘେନିଗଲା ମୃଗଦୃଶା

ସାନନ୍ଦେ ନାବେ ବସାଇ

ଗଲା ତା ଏତେ ଭରସା |୨|

 

ସାହା ଉଡ଼ିଲା ନୃପର

ହୃତା ଯେଣୁ ନବଯୋଷା

ସାହସ ହୃତ ହୋଇଲା

ଶୂନ୍ୟେ ଉଡ଼ିଲା ତା ହଂସା |୩|

 

ସାଗରେ ଝାସିବା ଶ୍ରେୟ

ଶୁଣିବି ଯା ଲୋକହସା

 

ସାମାନ୍ୟ କଥା ନୁହଇ

ସିଂହକୁ ନାଶିବା ଶଶା |୪|

 

ସାବଧାନ ନ ହେବାରୁ

ଫଳ ଭୋଗିଲି ମୁଁ ଖାସା

ଶାତକୁମ୍ଭ ଅଙ୍କୁ ରାଙ୍କ

ରାମଙ୍କ ଠାରୁ ସହସା |୫|

 

ସାରି ତ ଦେଲି ସର୍ବସ୍ଵ

ଦାନ କରି ନବଯୋଷା

ଶାଳା ବରଜିଲି ମୋତେ

ଝାଙ୍କିଲା ଭ୍ରମଣନିଶା |୬|

 

ସା ଅନୁପ୍ରାସେ ଗୋକୁଳା-

ନନ୍ଦର ଏ ପଦ ବସା

ସାହାଯ୍ୟ ହେବେ ଜାନକୀ-

ବଲ୍ଲଭ ଘୁଞ୍ଚିବା ଦଶା |୭|

 

 

ରସିକ ରସିବ ବସି କଷିବ ହୃଦର

ରସି ନ ଦେବ ଶମନ କଷି ଗ୍ରୀବାର । (ଘୋଷା)

 

ରମଣୀକି ନେଲା ପର ରହି ଦୁଃଖେ ନୃପବର

ରଡ଼ି ଛାଡ଼ିଲେ ଉଚ୍ଚରେ ବେନି କୁମର ।

ରମାପତିଙ୍କ ପୟର ରଖି ମନ ନୃପବର

ରଭସ ସେ ସ୍ଥାନୁ ଗଲେ ବଲେ ବନ ଭିତର |୧|

 

ରତନ ମଧ୍ୟେ ଯେ ସାର ରତନ ହେଲେ ସତ୍ଵର

ନୀର ପାନ ଅର୍ଥେ ଗଲେ କାସାରତୀର

ରସାଳ ଦ୍ରୁମ ତଳରେ ରହିଲେ ଜ୍ୟେଷ୍ଠ କୁମର

କନିଷ୍ଠକୁ ଘେନିଲେ ସଙ୍ଗେ ପିଅର |୨|

 

ରକ୍ଷକ ହେବ ବଂଶର ଭାବିଣ ଏକ ଶବର

ବଡ଼ଟିକୁ ନେଇଗଲା ନିଜ କୁଟୀର

ରହସ୍ୟ ତଦନନ୍ତର ହେଲା ଯାହା ନରେ ବାର

ଅନ୍ୟ ସୁତଟିକୁ ନେଇଗଲା କୁମ୍ଭୀର |୩|

 

ରସାପତି ଦଶା ପାଇଁ ସହସା ରହିଲେ ତହିଁ

କହଇ ଗୋକୁଳାନନ୍ଦ ହେ ନୃପବର

ରଥାଙ୍ଗ ଧାରଣ ଦୟା କରିବେ ପାଇବ ଜାୟା

ପୁନଶ୍ଚ ପାଇବ ପୁତ୍ର ନୁହ ଅସ୍ଥିର |୪|

୧. ରଭସ – ଶୀଘ୍ର ।

 

କାନ୍ତ୍ୟାଳଂକାର

 

(କ+ଅନ୍ତ୍ୟ+ଅଳଂକାର)

କର ଶ୍ରୃତିପଥରେ ବାରେକ ଗ୍ରାହକ

କହେ କେଳିପ୍ରବୀଣାର ଶୋଭା କେତେ । (ଘୋଷା)

 

କଳାବତୀ ବର୍ଣ୍ଣ ବାରବାନୀ କନକ

କନିଷ୍ଠ ହେବାରୁ ଦେହ ଦେହ ପାବକ ।

କମରରେ ନାମ୍ନହେତୁ ସିନା ବଣିକ;

କପର୍ଦ୍ଦୀ କାଇଁଚ ଅଟେ ପରିମାପକ ।୧।

 

କଷଟି ପଥରେ ମୂଲ୍ୟ ଅଳ୍ପ ଅଧିକ;

କଳେବର ସେ ଥାଇ ପିତଳ ତଳ ରୁକ ।

କମ୍ପାଏ ଶମ୍ପାକ ଦେଖାଇଣ ପ୍ରତୀକ;

କମ ହେତୁ ଶୂଳ ବହିଅଛି ଚମ୍ପକ ।୨।

 

କରବୀ ସର୍ଷପ ଷଣ ନ୍ୟୂନ ସମ୍ପାକ

କଥ୍ୟତଥ୍ୟ କେତକୀର ଯେତେ କଣ୍ଟକ

କଚ ସୁସଞ୍ଚ ନୀଚତା ନୁହେଁ ମେଚକ

କଳି କରୁଅଛି ଅଳି ପୁଷ୍ପ ଯେତେକ ।୩।

 

କଳା ଅତି ଉଚ୍ଚେ ବାସ ସେ ବଳାହକ,

କମଳ ତା ନନ୍ଦନ ସେ ପୁଣି ଜନକ ।

କରୁଛି ଆଶା ଆସାର ଆଶା ଉଦ୍ରେକ

କର୍ମରୁ ଚାମର ଭୋଗ୍ୟ ସୁର ନୃପଙ୍କ ।୪।

 

କଜ୍ଜଳତା କାନ୍ତହୀନେ ନେତ୍ର-ରଞ୍ଜକ,

କଳାରେ ନିଉନ କାଳିନ୍ଦୀର ଉଦକ ।

କହ୍ନାଇର କ୍ରୀଡ଼ାସ୍ଥଳେ ହେଲା ପଥିକ,

କଲ୍ଲୋଳିନୀ ଯମୁନା ସୋଦର ଅନ୍ତକ ।୫।

 

କଳକଳ ରବ ତାର ଅଟେ କି ଶୋକ

କଳାପ ଠାରୁ ସେ ଦୀର୍ଘ ହେବ ଅନେକ ।

କତିପୟ ତମାଳ ଖତମ ଲୀଳା ଶୁକ;

କଉଶିକକୁ ତୁଳନା କି ଶୈବାଳକ ।୬।

 

କବରୀ ସେ ଟଭାଫାଳ କି ଦଂନ୍ଦଶୂକ

କଦ୍ରୂଜ କଦର୍ଯ୍ୟ ଦୈତ୍ୟ ସେ ଜାଙ୍ଗଳିକ ।

କଳାନିଧି ଦେଖି ବାଳା ମୁଖ ଛଟକ;

କର୍ତ୍ତନ ହୁଅନ୍ତି ରାକାଠାରୁ ପକ୍ଷେକ ।୭।

 

କବଳକ ସ୍ଵର୍ଭାନୁ କେତୁ କାଳଯାକ;

କଳଙ୍କିତ ହାରିବାରୁ ସୁଷମାତକ ।

କପର୍ଦ୍ଦ ପାଶେ ଧରି ସେ ତିନି ଅମ୍ଵକ ।୮।

କମଳାବାନ୍ଧବ ଧରି କି ପୁଣ୍ତରୀକ;

 

କର୍ଦ୍ଦମରୁ ଉତ୍ପନ୍ନ ମରାଳ ଭକ୍ଷକ ।

କବନ୍ଧେ ଥାଇ କି ବିକର୍ତ୍ତନ ନାୟକ;

କରୀ ତାର ପରିପନ୍ଥୀ ହେଲା ନାଶକ;

କନ୍ଦର୍ପଧନୁରେ ପୁଣି ଅଟେ ସାୟକ; ।୯।

 

କଳୁଷିତ ପୃଷ୍ଠେ ସେ ବକାରି ତା କର୍କ ।

‘କ’ ଧାଡ଼ି ଶେଷେ ‘ଠ’ କାର ଲେଖି ଲେଖକ;

କହନ୍ତି ଚତୁରୀ ନାମ ଚତୁର – ଲୋକ ।

କଷିବାରେ ହୁଏ ପୁଣି ସମସ୍ତ ଏକ ।୧୦।

 

କର୍ଣ୍ଣ ଋକାର ପାଟଳୀ ପାଶ କିଂଶୁକ;

କଦାକାର ସଦୃଶ ନୁହନ୍ତି ପ୍ରତ୍ୟେକ ।

କଞ୍ଜଖେଳା ଖଞ୍ଜନ ହରିଣ ତା ଦୃକ

କଲେ କତ୍ରରେ ବନୋ ଦେଓକ ।୧୧।

 

କରେ ଗୋପନେ ଅଶନ ମୀନକୁଳରେ ବକ

କମାଣଭୀରୁର ଭୁରୂଦ୍ଵୟ ପିନାକ

କଟାକ୍ଷ ତ ଷଷ୍ଠବାଣ କ୍ଷୁଣ୍ଣ ଯୁବକ;

କଣିକାଏ ଊଣା ନୁହେଁ ତିଳକ ନାକ ।୧୨।

 

କନ୍ଦରେ ତ ଜନ ପଦ ନର ଦିଶୁକ;

କୌତୁହଳେ ରାମା ରଖି ନିଜ ନଜିକ ।

କରାଉଥାଏ ପାଠକୁ ବିବିଧ ଶ୍ଲୋକ;

କର୍ପୂର ଗଉରୀ ଶ୍ରେଷ୍ଠ ତା ଅଧ୍ୟାପକ ।୧୩।

 

କଇଞ୍ଚ କର୍କଟୀ ହେବ ଯେବେ ସୁପକ୍ଵ;

କନ୍ଦଳେ କି ଲାଭ ହେବ ? ନାହିଁ ତା ଟେକ ।

କଛକୁ ତୁଚ୍ଛ ସେ ବାଳାଧରେ ବାଳାର୍କ;

କପାଳକୁ ଯୋଗ୍ୟ ପାଦ ଅଲକତକ ।୧୪।

 

କର୍ବୂରାରି ଚରଣ ତା ଜବା ବର୍ଦ୍ଧକ;

କଡ଼ାକୁ ସମାନ ନୁହେଁ ତାର ବନ୍ଧକ

କଳାବିଦ୍ୟାକୁ ରୋହିତ ତା ଆବଶ୍ୟକ;

କଇରବ ହାସେ ହାସ ହେବ ବିବାକ ।୧୫।

 

କପାଳୀ ସିନ୍ଧୁ ନିଉନ ବଇ ମାତୃକ ?

କର୍ଷମାତ୍ର ହର୍ଷୁ କାଶ ନୁହେଁ ପୁଲକ ।

କର୍ପୂର-ଚୂର୍ଣ୍ଣ ମଲ୍ଲୀରେ ଯେ ଦ୍ରବ୍ୟ କର୍କ ?

କର୍କଶ ଉଶ୍ଵାସ ବିଶ୍ଵାସରେ ହୀରକ; ।୧୬।

 

କଳିକା କୁନ୍ଦର ରଦ ରଦ-କାରକ ।

କହେ ମୁକୁତା ମୋ ନାମ ବୁଝ ପାଠକ

କଅଣ କହିବି ମୋ ଜନକ ଶାମୁକ ।

କାଦାପି ନ ରହି ତ ଏଥି ରୂପକ ।୧୭।

 

କନ୍ଦଠାରୁ ସୁମଧୁର ବନ୍ଧୁର ବାକ;

କପି ବିପରୀତେ ଶୀତେ ପ୍ରାବୃଟେ ମୂକ ।

କରଟରେ ପାଳନ କରାଇ ଶାବକ;

କକା ବିଲୋମରେ ପିତା କି ଉତ୍ପାଦକ ।୧୮।

 

କଳକଣ୍ଠ କଳକଣ୍ଠ ସମ ସମ୍ୟକ;

କରୀର ଶରୀର ଅଟେ ବେଣୁଖଣ୍ତକ ।

କୃପାମୟୀ ବୀଣାପାଣି ବୀଣା ବାଦକ;

କଉତୁକିନୀ ସେ କେବେ କରେ ସଉକ ।୧୯।

 

କଣ୍ଠରେ ମାଧୁରୀ କରେ ବର୍ଣ୍ଣନା ସ୍ତୋକ

କନ୍ୟାକାଳୁ ଜାତ ତାର ପ୍ରଭା ମାଦକ

କପୋତ ହାରିଲା ଦେଖି ଗଉରୀ ବେକ;

କରୁଣ ସ୍ଵର ତା ରୁତ ହତ ବାଳକ ।୧୦।

 

କମ୍ଵୁ ଅଭ୍ୟନ୍ତର ଜାତ ଅତ୍ୟନ୍ତ ବାଙ୍କ;

କଣ୍ତରାଦି ଜନମୁଖେ ଦିଅଇ ଡାକ ।

କଷ ହେବ କାଚ ଦିଶେ ଢୋକିଲେ ପିକ;

କପାଳଭୃତ୍ ଶିଳା ଦେଖି କୁଚ ଯୋଡ଼ିକ ।୧୧।

 

କପିଳାସେ ଲୁଚି ବ୍ରହ୍ମପୁତ୍ର ଶୋଷକ;

କଳ୍ପାନ୍ତ ଯାଏ ତା ଗ୍ରୀବା ହେଲା କଳଙ୍କ ।

କଳସ ଭାସେ ମୋ ଭାଗ୍ୟ ବଡ଼ ବିପାକ;

କକ୍ଷେ ଥାଇ କେବଳ ତା ମୁଖ ଦର୍ଶକ ।୧୨।

 

କର୍ଣ୍ଣ ନ କଲା ତଉଲ ବସାଇ ଚକ;

କର୍ମଦକ୍ଷ ନୁହେଁ ଅଟେ ସେ ଅବିବେକ ।

କଳିକା ପୁଷ୍କର ତୁଲ୍ୟ ନୁହେଁ ଅଳ୍ପକ;

କହଇ ପୁନର୍ପି କୁନ୍ଦ ସେ ସଂପୁଟକ ।୧୩।

 

କଉଶଲ୍ୟା ସୁତେ ଅଭିଶପ୍ତ ଯେ କୋକ;

କଦା ଧରାଧର ନୁହେଁ ତାହା ପ୍ରାୟକ ।

କବର ଲଭିଲା ନୀରେ ବହୁ ସଂଖ୍ୟକ

କପିର ସନ୍ତୋଷ ପାଇଁ ଦୃଶ୍ୟ ମୈନାକ ।୧୪।

 

କନ୍ଦୁକ ଅଟଇ ବାମାର ସୁକ୍ତୀନକ;

କହିଲ ତ ସମ ନୁହଁ କେବେ ଆଂଶିକ

କଶୁରରେ ପୟୋଧର ଧରେ ଉଦକ;

କଠିନ ସେ ଆବରଣ ନିନ୍ଦେ ନଗୌକ ।୧୫।

 

କଟୁରୀରେ ତାକୁ ନରେ ଦ୍ୟନ୍ତି ବ୍ୟଲୀକ;

କହୁଛି ଲକୁଚ ନିଶ୍ଚେ ହେବ ପୃଥକ ।

କରୀକୁମ୍ଭେ ନାହିଁ ପୀନ ସ୍ତନେ ସମ୍ପର୍କ;

କଟା ହୋଇ ହୋଇଛି ହେରମ୍ଵମସ୍ତକ ।୧୬।

 

କର୍କନ୍ଧୁଠାରୁ ତ ବଳି ଶୋଭା ଚୂଚୁକ

କଉଣସି ଭାବେ ତୁଳ ନୁହେଁ ଗୁବାକ ।

କସ୍ତୁରୀର ପତ୍ରାବଳୀ ତହିଁ ଚିତ୍ରକ

କାନ୍ତ ଉଦର ତ୍ରିବଳୀ ତା ସନ୍ଦୀପକ ।୧।

 

କରେ ସ୍ଵର୍ଗମନା ବାହୁ ଚମ୍ପାମାଳକ;

କଟକ ବତାଏ ତାରା ଶୋଭା ଝଟକ ।

କରରୁହକୁ ନିଉନ ହେମ ପୁଷ୍ପକ;

କହ୍ଲାର ତ ଅତି ହୀନ ମଞ୍ଜ ଅଶୋକ ।୧୭।

 

କରଜ ଦଶ ଆକାରେ ଜିଣେ ରାମାଙ୍କ;

କରତଳର ବରଣ ଅଟେ ହଲକ ।

କଟୀକି ଅଣ୍ଟିଲାନି ତ ବିସର୍ଗ ଛକ;

କଣ୍ଠୀରବ ହେଲା ପାର୍ବତୀଙ୍କ ବାହକ ।୧୮।

 

କପାଳାସ୍ଥି ଧରି ଡମ୍ବରୁରେ ବାଦକ;

କଉତୁକ ସେ ଦଖାଏ କେତେ ଭିକ୍ଷୁକ

କଳଧୌତ ଅଙ୍ଗାର ଯେ ହେବ ନାୟକ;

କଲ୍ଲୋଳ ପ୍ରୟାଗେ ସ୍ନାନ ବ୍ରତୀ କାର୍ତ୍ତିକ ।୧୯।

 

କୈଳାସେ ଜାଗରେ ଉଜାଗର ରାତିକ;

କଳତ୍ର ରୂପରେ ମର୍ତ୍ତ୍ୟ ଗୋତ୍ର- କଣ୍ଟକ ।

କଅଁଳ ଦେହୀ ଯେ ଘେନି ବସେ ପଲଙ୍କ;

କଦା ଚ ଦେଖାଏ ନାହିଁ ଦର୍ପ ଦର୍ପକ ।୨୦।

 

କଲି ପ୍ରତି ପାଦେ ଅନୁପ୍ରାସ ଯମକ;

କହେ ଯେଉଁ ପଦକ ତା ହୃଦ-ପଦକ ।

କଷ୍ଟ ଏଥି ବୁଝିବ ସେ ଯେହୁ କଳ୍ପକ;

କଳନା କରିବ କି ଯେ ଅଟେ ନାସ୍ତିକ ? ।୨୧।

 

କରିଛି ରାମେଶ୍ଵରର ବାସୀ ଶିକ୍ଷକ;

କଳ୍ପି କଳ୍ପି ଦୁଇ ଶ ଛ’ସ୍ତରୀ ଗୋଟାକ ।

କରଣ ବଂଶଜ ପଦ ପଟ୍ଟନାୟକ;

କବି ଯେ ଗୋକୁଳା ନନ୍ଦ ଏଥି ରଚକ ।୨୨।

 

ପାଦଟୀକା: ବାର-ଚିନ୍ତା କର । ବାନି – କାନ୍ତିଯୁକ୍ତ । କଳାବତୀର ବର୍ଣ୍ଣରୁ ବାରବାନି ନାମକ ଏକ ଉତ୍କୃଷ୍ଟ ସୁନା ନିକୃଷ୍ଟ ହେବାରୁ ସେ ତାର ଦେହକୁ ଅଗ୍ନିରେ ଝାସ ଦିଏ । ପାବକ – ଅଗ୍ନି । କପର୍ଦ୍ଦ – ଶିବଙ୍କ ଜଟାସମୂହ । କରବୀର – କନିଅର । ଷଣ – କାଶତଣ୍ତିଫୁଲ । ମେଚକ – କଳା ପଥର । କଇ – କେଶ । ଅନ୍ଧକାରରୁ କେଶ ଊଣା ନୁହେଁ । ଅଳି – ଭ୍ରମର । ସେ ନିଜକୁ ନୀଚ ମନେକରି ପୁଷ୍ପମାନଙ୍କ ସହିତ କଳି କରୁଛି । ବଳାହକ-କଳାମେଘ ସେ ଉଚ୍ଚରେ ଯାଇ ରହିଛି । ଚାମର, କଜ୍ଜଳ ଓ ଯମୁନାର ପାଣି ତା’ କଟିକି ନୁନ୍ୟ । ବଳାହକ- ବଗ । କାଳିନ୍ଦୀର ଉଦକ- ଯମୁନା ନଦୀର ପାଣି । ଅନ୍ତକ – ଯମ । ଶକ୍ର – ଇନ୍ଦ୍ର । କଉଶିକ – ପେଚା । ଦଂଦଶୂକ- ସର୍ପା କଦ୍ରଜ- ଗରୁଡ଼ । ଜାଙ୍ଗଳିକ – କେଳା । ସ୍ଵର୍ଭାନୁ – ରାହୁ । କପର୍ଦ୍ଦ – ଜଟା ଯାହାକି ଶବଙ୍କ ମସ୍ତକରେ ଥାଏ । ତ୍ର୍ୟମ୍ଵକ ତିନୋଟି ଆଖି ଥିବା – ଶିବ । ପୁଣ୍ଡରୀକ – ପଦ୍ମ । ବିକର୍ତ୍ତନ – ସୂର୍ଯ୍ୟ । ଓକ – ଗୃହ । କର୍କଟୀ – କାକୁଡ଼ି । କର୍ବୂର - ରାକ୍ଷସ । ଯବା – ମନ୍ଦାର, ସ୍ତୋକ – ଅଳ୍ପ, ଟିକିଏ । ଲକୁଚ – କରମଙ୍ଗା । ଚୂଚୂକ – ସ୍ତନର ଅଗ୍ରଭାଗ । କଣ୍ଠୀରବ – ସିଂହ । କଳଧୌତ – ସୁନା, ଶମ୍ପାକ – ସୁନାରୀ ଗଛ ।

କରଜ – ନଖ । କଟକ – ବାହୁଟି । କରରୁହ – ନଖ । ସ୍ଵର୍ଗମନା – ସ୍ଵର୍ଗ (ସୁଖ)ରେ ମନ ଯାହାର ରାମାଙ୍କ = ଚନ୍ଦ୍ର । ହଲକ = ତାଜା । ତ୍ରିବଳୀ = ତିନୋଟି ରେଖା

 

ସମାପ୍ତ